ସୁସ୍ଥ ହେଲେ ଯାଜପୁରର ଆଉ ୧୫ କରୋନା ଆକ୍ରାନ୍ତ, ମୋଟ ସୁସ୍ଥଙ୍କ ସଂଖ୍ୟା ୧୫୮କୁ ବୃଦ୍ଧି
ଭୁବନେଶ୍ୱର:-ଆଜି ଏକା ସାଙ୍ଗରେ ଯାଜପୁରର ୧୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଚିକିତ୍ସା ପରେ ସେମାନଙ୍କୁ କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ । ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୫୮ରେ ପହଞ୍ଚିଥିବା ଜଣାପଡ଼ିଛି ।ଗତକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାରୁ ୯, ଭୁବନେଶ୍ୱରରୁ ୮ ଜଣ, ଭଦ୍ରକ ଜିଲ୍ଲାରୁ ୪ ଜଣ, ଗଂଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨-୨ ଓ କୋରାପୁଟ ଏବଂ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ବୁଧବାର ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ । ଏଥି ସହ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଥିଲା।ଆଜି ସକାଳେ ରାଜ୍ୟରେ ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଥିଲା। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ପରେ ପରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ପୁଣି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୪ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ କେନ୍ଦ୍ରାପଡ଼ା, ମହାକାଳପଡ଼ା ଓ ରାଜକନିକା ବ୍ଲକର ସଙ୍ଗରୋଧ କେନ୍ଦ୍ରରେ ଥିଲେ ।