କରୋନା ଆତଙ୍କ ବେଳେ ବାତ୍ୟା ଆଶଙ୍କା, ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା କହିଲେ ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର:-କରୋନା ଆତଙ୍କ ବେଳେ ବାତ୍ୟା ଆଶଙ୍କା । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ଆଶଙ୍କା ସୃଷ୍ଟି କରିଛି । ଏହାର ପ୍ରଭାବ ଓଢ଼ିଶା ଉପରେ ପଡିବ କି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନି । କିନ୍ତୁ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।
‘ୱେଲ୍ ମାର୍କ ଲୋ ପ୍ରେସର’ର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରରେ ଘନୀଭୂତ ଲଘୁଚାପ । ଏହା ଅବପାତର ରୂପ ନେଇ ୧୬ ତାରିଖ ସଂଧ୍ୟା ବେଳକୁ ସାମୂଦ୍ରିକ ଝଡ଼ର ରୂପ ନେବ । ସାମୁଦ୍ରିକ ଝଡ ପ୍ରଥମେ ୧୭ ତାରିଖ ଯାଏ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରେ ଗତି ପରିବର୍ତ୍ତନ କରି ୧୮ ଏବଂ ୧୯ ତାରିଖ ଯାଏ ଉତ୍ତର-ଉତ୍ତର-ପୂର୍ବ ଦିଗରେ ପଶ୍ଚିମବଙ୍ଗ ଏବଂ ମିଆଁମାର ଆଡକୁ ମୁହାଁଇବ । ଓଡ଼ିଶା ଉପରେ ଏହାର ପ୍ରଭାବ ପଡିବ ନାହିଁ । ଏମିତି କିଛି ଆକଳନ କରିଛି ପାଣିପାଗ ବିଭାଗ ।
ଗତବର୍ଷ ମେ’ ମାସରେ ଓଡ଼ିଶାରେ ତାଣ୍ଡବ ରଚିଥିଲା ବାତ୍ୟା ଫନି । ଏବେ ବଙ୍ଗୋପସାଗରରେ ଲଗୁଚାପ ଲୋକଙ୍କ ମଧ୍ୟରେ ଛନକା ସୃଷ୍ଟି କଲାଣି । କିନ୍ତୁ ବାତ୍ୟ ଭୟ ନଥିବା ପାଣିପାଗ ବିଭାଗ କହିଛି । ଲଘୁଚାପ ପ୍ରଭାବରେ ୧୮ ତାରିଖରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ଗଜପତି, ପୁରୀ, ଗଂଜାମ ଏବଂ ଜଗତସିଂହପୁର ଜିଲ୍ଲାରେ ୧୯ ତାରିଖ ବେଳକୁ ପ୍ରବଳ ବର୍ଷିବ । ଦକ୍ଷିଣ ଓଡିଶାରେ ୧୮ ତାରିଖ ବେଳକୁ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ ଓ ୧୯ ତାରିଖରେ ଉପକୁଳ ଓଡିଶାରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ । ୧୬ ତାରିଖ ସୁଦ୍ଧା ସମୁଦ୍ରରୁ ଫେରିଆସିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ତେବେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ