ସବୁ ରେକର୍ଡ ଭାଙ୍ଗିଲା ସଡ଼କ ଦୁର୍ଘଟଣା, ବର୍ଷକରେ ଗଲା ୬୧୪୨ ଜୀବନ

ଭୁବନେଶ୍ବର:- ଓଡ଼ିଶାରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ମରାମତି, ସଚେତନତା, ପ୍ରବର୍ତ୍ତନ, ଟେକ୍ନୋଲୋଜି ବାବଦରେ କେନ୍ଦ୍ର ଓ ରାଜ୍ୟ ସରକାର ବର୍ଷକୁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ସଡ଼କ ଦୁର୍ଘଟଣା ମୃତ୍ୟୁରେ ନୂଆ ରେକର୍ଡ କରିଛି ଓଡ଼ିଶା। ୨୦୨୪ରେ ୬୧୪୨ ଜଣଙ୍କ ପ୍ରାଣ ଯାଇଛି। ଗୋଟିଏ ବର୍ଷରେ ଏହା ହେଉଛି ସର୍ବାଧିକ ମୃତ୍ୟୁ। ୨୦୨୩ରେ ୫୭୩୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଜାତୀୟ ସ୍ତରରେ ପ୍ରତି ୧୦୦ ଦୁର୍ଘଟଣାରେ ମୃତ୍ୟୁ ହାର ୩୭% ଥିବା ବେଳେ ଓଡ଼ିଶାରେ ଏହା ୪୯% ଅତିକ୍ରମ କରି ଗଲାଣି। ପ୍ରତି ବର୍ଷ ରାଜ୍ୟରେ ହାରାହାରି ୫୫୦୦ ଲୋକଙ୍କ ଜୀବନ ନେଉଛି ସଡ଼କ ଦୁର୍ଘଟଣା।

ସରକାରୀ ତଥ୍ୟ ଅନୁସାରେ କ୍ରମାଗତ ଭାବେ ୮୦% ସଡ଼କ ଦୁର୍ଘଟଣା ମାନବ ତ୍ରୁଟି ପାଇଁ ହେଉଥିବା ବେଳେ ଅବଶିଷ୍ଟ ପାଇଁ ଖରାପ ରାସ୍ତା ଓ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଦାୟୀ। ବିଶେଷକରି ତ୍ରୁଟି ପୂର୍ଣ୍ଣ ଗାଡି ଚାଳନା, ଦ୍ରୁତ ବେଗରେ ଚାଳନା ଓ ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା ଦୁର୍ଘଟଣା ପଛର ମୁଖ୍ୟ କାରଣ। ୨୦୨୪ରେ ୧୨,୩୭୫ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୨୦୨୩ରେ ୧୧,୯୯୨, ୨୦୨୨ରେ ୧୧,୬୬୩, ୨୦୨୧ରେ ୧୦,୯୮୪ ଏବଂ ୨୦୨୦ରେ ୯୮୧୭ ସଡ଼କ ଦୁର୍ଘଟଣା ରିପୋର୍ଟ ହୋଇଥିଲା। ଗତ ୫ ବର୍ଷ ଭିତରେ ସଡ଼କ ଦୁର୍ଘଟଣା ୨୭,୧୬୭ ଜଣଙ୍କ ପ୍ରାଣ ନେଇଛି ଏବଂ ୫୦ ହଜାରରୁ ଅଧିକ ଆହତ ହୋଇଛନ୍ତି। ବେସରକାରୀ ଭାବେ ଏହି ସଂଖ୍ୟା ଦୁଇ ଗୁଣା ହେବ ବୋଲି କୁହାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେବଳ କଡ଼ାକାର୍ଯ୍ୟାନୁଷ୍ଠାନ ନୁହେଁ, ଲୋକଙ୍କ ଆଚରଣରେ ପରିବର୍ତ୍ତନ ଆଣିବାକୁ ପଡିବ। ଜଣେ ବ୍ୟକ୍ତି ଟ୍ରାଫିକ୍ ନିୟମ ପାଳନ କଲେ ବହୁ ଧନ ଜୀବନର ସୁରକ୍ଷା ହୋଇପାରିବ। ଏଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ସଶକ୍ତ ରଣନୀତି ଆପଣେଇବାର ସମୟ ଆସିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *