ମଦର ହୋମ୍ ଡେଲିଭରି ପାଇଁ ଜୋମାଟୋ ଓ ସ୍ୱିଗିକୁ ଅନୁମତି

ଭୁବନେଶ୍ୱର: ଓଡ଼ିଶାରେ ମଦର ହୋମ ଡେଲିଭରି ପାଇଁ ଜୋମାଟୋ ଓ ସ୍ୱିଗିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଜୋମାଟୋକୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀ ପାଇଁ ଅନୁମତି ମିଳିଥିବା ବେଳେ ସ୍ୱିଗିକୁ  ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ପାଇଁ ଅନୁମତି ମିଳିଛି।

ଦେଶର ସବୁଠାରୁ ବଡ଼ ଦୁଇ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି କମ୍ପାନୀ ଅନ୍‌ଲାଇନ୍‌ରେ ମଦ ଡେଲିଭରି ପାଇଁ ଲଗାତର ଭାବେ ଦେଶର ସମସ୍ତ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ଚଳାଇଥିଲେ। ଆଉ ଆଜି ରାଜ୍ୟ ସରକାରଙ୍କ ତରଫରୁ ଏହି ଦୁଇ କମ୍ପାନୀକୁ ଅନ୍‌ଲାଇନ୍‌ ମଦ‌ ଡେଲିଭରି ପାଇଁ ଅନୁମତି ମିଳିଛି।

ତେବେ ଏହି ଦୁଇ କମ୍ପାନୀ ପ୍ରାଥମିକ ପର୍ଯ୍ୟାୟରେ ପ୍ରଥମେ ମେ ୨୧ ତାରିଖରେ ରାଞ୍ଚିରେ ଅନ୍‌ଲାଇନ୍ ମଦ ଡେଲିଭରି‌ ସେବା ଆରମ୍ଭ କରିଥିଲେ। ଖୁବ୍‌ଶୀଘ୍ର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହି ସେବା ଆରମ୍ଭ କରିବାକୁ ସରକାରଙ୍କ ସହିତ ଆଲୋଚନା ଚାଲିଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା।

ତେବେ ସ୍ୱିଗି ପକ୍ଷରୁ ଏହା ମଧ୍ୟ କୁହାଯାଇଥିଲା ଯେ ମଦର ଅନ୍‌ଲାଇନ୍‌‌ ଅଡର୍‌ କରିବା ପୂର୍ବରୁ ପ୍ରଥମେ ସରକାରଙ୍କ ଦ୍ୱାରା ବୈଧ ପରିଚୟ ପତ୍ର ଅପ୍‌ଲୋଡ କରିବାକୁ ପଡ଼ିବ। ଫଳରେ ଗ୍ରାହକଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ। ଯଦି କେହି ଫର୍ଜୁରି କରିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ସମ୍ପୂର୍ଣ୍ଣ ଭେରିଫିକେସନ୍ ପ୍ରୋସେସ୍ ଦେଇ ଯିବାକୁ ପଡ଼ିବ। ତେବେ ଯେଉଁ ଗ୍ରାହକ ଆବଶ୍ୟକୀୟ ଡାଟା ନଦେବେ ତାଙ୍କୁ ମଦର ହୋମ୍‌ ଡେଲିଭରି କରାଯିବନି ବୋଲି ସ୍ୱୀଗି କହିଥିଲା।

ତେବେ ଆଜି ରାଜ୍ୟରେ ମଦର ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ ହୋମ୍‌ ଡେଲିଭରି ପାଇଁ ଅନୁମତି ଦେଇଛନ୍ତି ସରକାର। ମଦ ଉପରେ ଅତିରିକ୍ତ କୋଭିଡ୍-୧୯ ଟ୍ୟାକ୍ସ ଲଗାଇଛନ୍ତି।

Leave a Reply

Your email address will not be published. Required fields are marked *