ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ସହାୟତା ରାଶି

ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ସହାୟତା ରାଶି । ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡର ଅନୁକମ୍ପା ରାଶି ପ୍ରଦାନ ସମାରୋହ । ଡ୍ରାଇଭରଙ୍କ ଅକାଳ ବିରୋଗ ହେଲେ ଅନୁକମ୍ପା ରାଶି ଦିଆଯିବାର ବ୍ୟବସ୍ଥା ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩ ଜଣ ଡ୍ରାଇଭରଙ୍କ ପରିବାରକୁ ମିଳିଛି ସହାୟତା । ସାଧାରଣ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ଓ ଦୁର୍ଘଟଣାଜନିତ ମୃତ୍ୟୁରେ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯାଉଛି ।

୬ ମାସ ତଳେ ମାତ୍ର ୪୮ ବର୍ଷ ବୟସରେ ପ୍ରାଣ ହରାଇଥିଲେ କୁଶ କୁମାର ସାହୁ । ଟାକ୍ସି ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । ପ୍ରାୟ ୯ ବର୍ଷ ତଳେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । କୁଶଙ୍କ ମୃତ୍ୟୁ ପରେ ଅନାଥ ହୋଇ ଯାଇଥିଲେ ତାଙ୍କର ଦୁଇ ଝିଅ ଅନନ୍ୟା ଓ ଆଦ୍ୟାଶା । ଯୌଥ ପରିବାର ହୋଇଥିବାରୁ ବାପା ଚାଲିଗଲା ପରେ ସାହାରା ଦେଇଥିଲେ ଦାଦା ଖୁଡ଼ି । ସେମାନଙ୍କ ଅଭାବୀ ପରିବାରରେ ଦୁଇ ଝିଅଙ୍କ ପାଠପଢା ବେଶ କଷ୍ଟକର ହୋଇ ପଡିଥିଲା । ତେବେ ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡ ପକ୍ଷରୁ ମିଳିଛି ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ।

ଆଜି ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡର ଅନୁକମ୍ପା ରାଶି ପ୍ରଦାନ ସମାରୋହ । ପ୍ରଥମ ପର୍ଯ୍ୟାୟରେ ୩ ଜଣ ଡ୍ରାଇଭରଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଡ୍ରାଇଭର ମହାସଂଘର କର୍ମକର୍ତା ଯୋଗ ଦେଇଥିଲେ ।

ଗତ ବର୍ଷ ୧୦ ଦଫା ଦାବି ନେଇ ସାରା ରାଜ୍ୟରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିଥିଲା ଓଡ଼ିଶା ଡ୍ରାଇଭର ମହାସଂଘ । ସରକାର ସେମାନଙ୍କ କିଛି ଦାବି ମାନିନେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ଏହାପରେ ଡ୍ରାଇଭରଙ୍କ ପାଇଁ ଗଠନ ହୋଇଥିଲା ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡ । ଡ୍ରାଇଭରଙ୍କ ଅକାଳ ବିୟୋଗ ହେଲେ ସେମାନଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ନିଷ୍ପତି ନେଇଥିଲେ ସରକାର । ସାଧାରଣ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ଓ ଦୁର୍ଘଟଣାଜନିତ ମୃତ୍ୟୁରେ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯିବାର ବ୍ୟବସ୍ଥା ରହିଛି ।

Leave a Reply

Your email address will not be published. Required fields are marked *