ଜେଲରୁ ଚମ୍ପଟ ମାରିଲା ଆଜୀବନ ସଜା କାଟୁଥିବା କଏଦୀ

ବାରିପଦା: ଜଣେ ଆଜୀବନ ସଜା କାଟୁଥିବା କଏଦୀ ଜେଲରୁ ଫେରାର ହୋଇ ଯାଇଥିବା ଖବର ସାମ୍ନାକୁ ଆସିଛି। ଜେଲ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ଚକମା ଦେଇ ଆଜୀବନ ସଜା କାଟୁଥିବା ଆସାମୀ ଜଣକ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଥିବା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପକାରାଗାରରେ। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଆସାମୀ ଜଣକ ଜେଲରୁ ଫେରାର ହୋଇଯାଇଛି। ଜେଲ କର୍ତ୍ତୃପକ୍ଷ ଓ ରାଇରଙ୍ଗପୁର ଟାଉନ ଥାନା ପୁଲିସ ଆସାମୀ ଜଣକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବାର ଖବର ମିଳିଛି।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ବୁଡାମରା ଗ୍ରାମର ଏହି ଯୁବକ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ୨୦୧୫ ମସିହାରେ ହୋଇଥିବା ଏକ ନରହତ୍ୟା ମାମଲାର ଶୁଣାଣି କରି ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପ୍ରାୟ ୩ବର୍ଷ ହେବ ଆସାମୀ ଜଣକ ଆଜୀବନ କାରାଦଣ୍ଡର ଦଣ୍ଡାଦେଶ ପାଇ ରାଇରଙ୍ଗପୁର ଉପକାରାଗାରରେ ବନ୍ଦୀ ଜୀବନ ବିତାଉଥିଲେ। ଉକ୍ତ ଆସାମୀ ଜଣକ ବିଶୋଇ ଥାନା ବୁଡାମରା ଗ୍ରାମର ୩୫/୪୦ ବର୍ଷର ଛୋଟୁ ଲୋହାର ବୋଲି ଜଣାପଡିଛି। ତେବେ ଛୋଟୁ ଲୋହାର ରାଇରଙ୍ଗପୁର ଉପ କାରାଗାରରେ ବନ୍ଦୀ ଜୀବନ ବିତାଉ ଥିବା ବେଳେ ଗତକାଲି ଅପରାହ୍ନ ପାଖାପାଖି ୨.୦୦ ରୁ ୨.୩୦ ସମୟରେ ଜେଲ କର୍ମଚାରୀଙ୍କୁ ଚକମା ଦେଇ ଫେରାର ହୋଇ ଯାଇଥିଲା। ଆଜୀବନ ସଜା କାଟିବାକୁ ଥିବାବେଳେ ୩ବର୍ଷ ଧରି ସଜା କାଟି ଥିବା ଛୋଟୁ ଜେଲର ମୁଖ୍ୟ ଗେଟ ଦେଇ ଫେରାର ହୋଇ ଯାଇଥିବାର ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ତେବେ ଆସାମୀ ଜଣକ ଜେଲ କର୍ତ୍ତୃପକ୍ଷଙ୍କ ବିଶ୍ବାସ ଭାଜନ ହୋଇ ରହିଥିଲେ। ଜେଲର ବିଭିନ୍ନ କାମ ଓ ଜେଲରେ ହେଉଥିବା ପରିବା ଚାଷ ଆଦି କଥା ମଧ୍ୟ ବୁଝୁଥିଲେ।

Leave a Reply

Your email address will not be published. Required fields are marked *