ଦୁଇ ସେବାୟତ ଗୋଷ୍ଠୀ ବିବାଦ,ଉପାସରେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର:-ନୂଆବର୍ଷରେ ଦୁଇଦିନ ହେଲା ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ଗତକାଲି ଜଣେ ଅଣସେବାୟତ ଭୋଗମଣ୍ଡପରେ ପଶିଯାଇଥିଲେ । ସେ କ୍ଷମା ମାଗିସାରିଥିଲେ ବି ଭୋଗକୁ ନେଇ ଦୁଇ ନିଯୋଗ ମୁହାଁମୁହିଁ ହୋଇଛନ୍ତି । ଫଳରେ ଦୁଇଦିନ ହେଲା ନୀତିକାନ୍ତି ବନ୍ଦ ରହିଛି । ପ୍ରଶାସନ ସମସ୍ୟାର ସମାଧାନ ପାଇଁ ବୈଠକ ଡାକିଥିଲେ ବି ବ୍ରାହ୍ମଣ ନିଯୋଗ ସଦସ୍ୟ ନ ଆସିବାରୁ କୌଣସି ନିଷ୍କର୍ସ ବାହାରିପାରିନାହିଁ । ଫଳରେ ଅଚଳାବସ୍ଥା ଲାଗିରହିଛି । ପ୍ରସାଦ ନ ପାଇ ଭକ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଭୋଗମଣ୍ଡପରେ ଅଣ ସେବାୟତଙ୍କ ପ୍ରବେଶକୁ ନେଇ ଦୁଇଦିନ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ । ଫଳରେ ଦୁଇଦିନ ହେଲା ଉପାସରେ ଅଛନ୍ତି ଲିଙ୍ଗରାଜ । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ନୂଆବର୍ଷ ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ଭୋଗମଣ୍ଡପ ଚାଲିଥିବାବେଳେ ଅଣସେବାୟତ ପ୍ରବେଶ ଯୋଗୁଁ ନୀତିକାନ୍ତିରେ ବାଧା ସୃଷ୍ଟି ହୋଇଥିଲା । ଲିଙ୍ଗରାଜଙ୍କ ସେବା କରୁଥିବା ବଡୁ ନିଯୋଗ ପକ୍ଷରୁ ନୀତକାନ୍ତି ବନ୍ଦ କରାଯିବା ସହ ଘଟଣାର ତଦନ୍ତ ପାଇଁ ଦାବି କରାଯାଇଥିଲା । ବଡୁ ନିଯୋଗ କହିବା କଥା ହେଲା , ମାରା ଭୋଗକୁ ଅମଣା କୂଅରେ ପକାଯିବା ପରମ୍ପରା ରହିଛି । କିନ୍ତୁ ଏହା କରାନଯାଇ ଭୋଗକୁ ଭକ୍ତଙ୍କୁ ବଣ୍ଟାଯାଇଛି । ସମସ୍ୟାର ସମାଧାନ ନ ହେବା ଯାଏଁ ନୀତିକାନ୍ତି ହେବନି । ସେପଟେ ଭୋଗ ବିକ୍ରି କରୁଥିବା ବ୍ରାହ୍ମଣ ନିଯୋଗ ଓ ମହାସୁଆର ନିଯୋଗ କହିଛି , ସମସ୍ତ ଭୋଗକୁ ପୋତାଯାଇଛି । ଆବଶ୍ୟକ ହେଲେ ସିସିଟିଭି ଯାଂଚ କରାଯାଉ ।

ସୋମବାରଠାରୁ ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ଉଭୟ ନିଯୋଗ ଭିତରେ ବିବାଦର ସମାଧାନ ଲାଗି ବୈଠକ ଡକାଯାଇଥିଲେ ବି କୌଣସି ନିଷ୍କର୍ସ ବାହାରିପାରିନାହିଁ । ବୈଠକରେ ବଡୁ ନିଯୋଗ ସାମିଲ ହୋଇଥିଲେ ବି ବ୍ରାହ୍ମଣ ନିଯୋଗର କୌଣସି ସଦସ୍ୟ ସାମିଲ ହୋଇନଥିଲେ । ଫଳରେ ନୀତିକାନ୍ତି ସ୍ୱାଭାବିକ କରିବା ନେଇ କୌଣସି ସମାଧାନ ବାହାରିପାରିନାହିଁ । ବରଂ ମନ୍ଦିର ପ୍ରଶାସନକ ଓ ସେବାୟତଙ୍କ ମଧ୍ୟରେ ଭିଡାଓଟରା ବଢିଛି । ଭୋଗମଣ୍ଡପରେ ପ୍ରବେଶ କରିଥିବା ଅଣସେବାୟତ ଲିଖିତ ଆକାରରେ କ୍ଷମା ପ୍ରାର୍ଥନା କରିସାରିଛନ୍ତି । କିନ୍ତୁ ଦୁଇ ନିଯୋଗର ବିବାଦ ଯୋଗୁଁ ନୀତିକାନ୍ତି ବନ୍ଦ ରହିଛି ।

Leave a Reply

Your email address will not be published. Required fields are marked *