ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନଙ୍କ ପରଲୋକ

ଅହମଦାବାଦ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ଆଉ ନାହାନ୍ତି। ରାତି ପ୍ରାୟ ୩.୩୦ରେ ମୋଦିଙ୍କ ମା’ ହୀରା ବେନ୍‌ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ଗତ ଜୁଲାଇ ମାସରେ ହିଁ ସେ ନିଜର ୧୦୦ ତମ ଜନ୍ମ ଦିନ ପାଳନ କରିଥିଲେ।

ବୁଧବାର ହୀରା ବେନ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଗୁଜରାଟର ଅହମଦାବାଦରେ ଥିବା ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଦିନ ତାଙ୍କର ଚିକିତ୍ସା କରାଯାଇଥିଲେ ମଧ୍ୟ ଆଜି ଭୋର ସମୟରେ ହୀରା ବେନଙ୍କ ମୃତ୍ୟୁ ଘଟିଛି।

ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମା’ଙ୍କ ପରଲୋକ ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିପରି ମା’ଙ୍କୁ ହରାଇ ସେ ଭାଙ୍ଗି ପଡ଼ିଛନ୍ତି। ମୋଦି କହିଛନ୍ତି, “ଈଶ୍ୱରଙ୍କ ଚରଣରେ ସୁନ୍ଦର ଶତାବ୍ଦୀର ବିରାମ। ମା’ ଭିତରେ ମୁଁ ସବୁବେଳେ ତ୍ରିମୂର୍ତ୍ତିର ଅନୁଭବ କରିଛି, ଯାହା ଭିତରେ ଗୋଟିଏ ତପସ୍ୱୀର ଯାତ୍ରା, ସ୍ୱାର୍ଥହୀନ କର୍ମଯୋଗୀର ପ୍ରତୀକ ଓ ମୂଲ୍ୟ ପ୍ରତି ପ୍ରତିବଦ୍ଧ ଜୀବନ ସମାହିତ ରହିଛି।”ଆଉ ଏକ ଟ୍ୱିଟରେ ମୋଦି କହିଛନ୍ତି, “ମୁଁ ଯେତେବେଳେ ତାଙ୍କୁ ୧୦୦ତମ ଜନ୍ମଦିନରେ ଭେଟିଥିଲି ସେତେବେଳେ ସେ ଗୋଟିଏ କଥା କହିଥିଲେ, ସେହି କଥା ମୋର ସବୁବେଳେ ମନେ ରହିବ। ସେ କହିଥିଲେ ଯେ ବୁଦ୍ଧିମତାର ହୋଇ କାମ କର ଓ ପବିତ୍ର ଜୀବନ ସହ ବଞ୍ଚି ରୁହ।”

ବୁଧବାର ସକାଳେ ୧୦୦ ବର୍ଷୀୟ ହୀରା ବେନଙ୍କୁ ଅସୁସ୍ଥତା କାରଣରୁ ଅହମଦାବାଦରେ ଥିବା ସୁପର ସ୍ପେଶାଲିଟି ୟୁଏନ ମେହେତା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଓ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଡାକ୍ତରମାନେ କହିଥିଲେ। ଗୁଜରାଟ ସରକାର ମଧ୍ୟ ଗୋଟିଏ ବିବୃତିରେ ହୀରା ବେନ୍‌ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ସୂଚନା ଦେଇଥିଲେ। କିନ୍ତୁ ଭୋର ୩.୩୦ରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।

ତାଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ସମେତ ବହୁ ବିଶଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *