ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ, ଘଟଣା ସ୍ଥଳରୁ ପାୱେଲଙ୍କ ଏକ ଚପଲ ଜବତ କରାଯାଇଛି , ରୁମ୍‌ରେ ଥିବା କାଚ ଗ୍ଲାସରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ

ଭୁବନେଶ୍ୱର :- ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତାର ତୃତୀୟ ଦିନରେ ତଦନ୍ତ ଜାରି ରଖିଛି । ଏହି ଟିମ୍ ଆଜି ଥାନାରେ ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାସ ଓ ଥାନା ଅଧିକାରୀ ରଶ୍ମୀରଞ୍ଜନ ପ୍ରଧାନଙ୍କୁ ଭେଟିବା ପରେ, ମୃତକମାନେ ରହୁଥିବା ରାୟଗଡ଼ାର ହୋଟେଲ ସାଇ ଇଣ୍ଟରନ୍ୟାସନାଲ ହୋଟେଲକୁ ଯାଇ ଦିନ ତମାମ୍ ଫୋରେନ୍‌ସିକ ଟିମ୍ ସହ ଖୋଳତାଡ଼ କରିଛନ୍ତି । ରାୟଗଡ଼ାର ହୋଟେଲ ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ଛାତଠୁ ଝରକା ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ଖୋଳତାଡ଼ କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍ । ସବୁ ଜାଗାରେ ମାପଚୁପ, ଫଟୋଗ୍ରାଫି ଓ ଭିଡ଼ିଓ ସୁଟ୍ କରାଯାଇଛି । ଯେଉଁ ଝରକାରୁ ଖସିପଡ଼ି ଋଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ ପ୍ରାଣ ହରାଇଥିଲେ । ସେଠାରେ ଡିଏସ୍‌ପି ସରୋଜ କୁମାର ମହାନ୍ତଙ୍କ ନେତୃତ୍ୱରେ କ୍ରାଇମ୍‌ବ୍ରାଞ୍ଚ ଓ ଫୋରେନ୍ସକ ଟିମ୍‌ର ୧୦ ଜଣିଆ ଟିମ୍ ପହଞ୍ଚି ଦନସାରା ଛାନ୍‌ଭିନ୍ କରିଛନ୍ତି । ଆଜି ତଦନ୍ତ ସମୟରେ ଘଟଣାସ୍ଥଳରୁ ପାୱେଲଙ୍କ ଏକ ଚପଲ ଜବତ ହୋଇଛି । ଉଭୟ ଭ୍ଲାଡିମିର ଔ ପାୱେଲ ରହୁଥିବା ରୁମ୍‌କୁ ଯାଞ୍ଚ କରାଯାଇଛି । ରୁମ୍‌ରେ ଥିବା ଏକ କାଚ ଗ୍ଲାସ୍‌ରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରାଯାଇଛି । ଜେରାର ସମ୍ମୁଖୀନ ହୋଉଥିବା ଦୁଇ ଋଷୀୟ ପର୍ଯ୍ୟଟକଙ୍କ ବୟାନର ଭିଡିଓ ରେକର୍ଡ କରାଯାଇଛି ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ଏଥିସହ ମୃତକଙ୍କ ପୋଷ୍ଟମର୍ଟମ କରିଥିବା ୪ଜଣ ଡାକ୍ତରଙ୍କୁ ବି ଡକାଇ ପଚରାଉଚରା କରିଛନ୍ତି । ତେବେ ସଂପୃକ୍ତ ୪ ଋଷୀୟ ପର୍ଯ୍ୟଟକ ରାୟଗଡ଼ା ଯିବା ପୂର୍ବରୁ ଭୁବନେଶ୍ୱର ଓ କନ୍ଧମାଳ ଦାରିଙ୍ଗବାଡି ଯାଇଥିଲେ ବୋଲି ଜଣାପଡ଼ିଛି । ସେପଟରେ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଆଗକୁ ସାକ୍ଷୀମାନଙ୍କୁ ଭେଟି ପଚରାଉଚରା କରିବ ବୋଲି ଜଣାପଡ଼ିଛି ।
ଜଣାପଡିଛି ଯେ, ଦିଲ୍ଲୀରୁ ଓଡ଼ିଶା ଆସିବା ପରେ ପ୍ରଥମେ ଭୁବନେଶ୍ୱରରେ ଥିଲେ ସଂପୃକ୍ତ ୪ଋଷୀୟ ପର୍ଯ୍ୟଟକ ଲିଙ୍ଗରାଜ ମନ୍ଦିର ବୁଲିବା ପରେ ରାଜଧାନୀର ଏକ ଷ୍ଟାର ହୋଟେଲରେ ରହିଥିଲେ । ଡିସେମ୍ବର ୨୦ରେ ହୋଟେଲ ଛାଡ଼ିଥିଲେ । ଭୁବନେଶ୍ୱରରୁ ସେମାନେ କନ୍ଧମାଳ ଦାରିଙ୍ଗବାଡ଼ି ଯାଇଥିଲେ । ସେଠାରେ କିରିକୁଟି ସ୍ଥିତ ପାନାସିଆ ଇକୋ ରିଟ୍ରିଟ୍‌ରେ ରାତି ବିତାଇଥିଲେ । ରିସର୍ଟ ମ୍ୟାନେଜର ଏନେଇ ମୁହଁ ଖୋଲିନଥିବା ବେଳେ କର୍ମଚାରୀ କାଳିଆ ସାହୁ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ୪ଜଣ ଯାକ ଏଠାରେ ପହଞ୍ଚିବା ବେଳକୁ ଅତ୍ୟାଧିକ ନିଶାସକ୍ତ ଥିଲେ । ରାତି ସାରା ମଦ୍ୟପାନ କରିଥିଲେ । ୨୧ ତାରିଖ ସକାଳୁ ବ୍ରେଡ୍ ବଟର ଖାଇ ସଭିଏଁ ବାହାରି ଯାଇଥିଲେ ରାୟଗଡ଼ା ଅଭିମୁଖେ ।
ଅନ୍ୟପଟରେ ନୂଆଦିଲ୍ଲୀରେ ଅବସ୍ଥିତ ଋଷ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ୍ ଟ୍ୱିଟ୍ କରି କହିଛନ୍ତି ଯେ, ୨ଋଷୀୟ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଭାରତ ସରକାର ନେଉଥିବା ପଦକ୍ଷେପ ଆମେ ପ୍ରଶଂସା କରୁଛି । ଋଷୀୟ ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ ଦାହ କରାଯାଇପାରିବ, କବର ମଧ୍ୟ ଦିଆଯାଇପାରିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *