ସ୍ମାର୍ଟ ଯୁଗରେ ବଦଳିଛି ଚିଣ୍ଡଫଣ୍ଡ ଠକଙ୍କ ଠକେଇ ତିରିକା, ସ୍ୱତନ୍ତ୍ର ଆପ୍‌ରେ ଲୋଭନୀୟ ସ୍କିମ୍ କରି ଲୋକଙ୍କୁ ଫସାଉଛନ୍ତି

ଭୁବନେଶ୍ୱର : -ସ୍ମାର୍ଟ ଯୁଗରେ ବଦଳିଛି ଚିଟଫଣ୍ଡ ତରିକା । ଆଉ ଅଫିସ୍ ଖୋଲି ଜଗାକାରୀଙ୍କ ଠାରୁ ଟଙ୍କା ଆଦାୟ କରାଯାଉ ନାହିଁ । ଏବେ ବଦଳିଛି ଚିଟ୍‌ଫଣ୍ଡ ଠକେଇର ତରିକା । ଏଣିକି ସ୍ମାର୍ଟ ଯୁଗରେ ବିଭିନ୍ନ ଆପ୍ଲିକେସ୍‌ସନ(ଆପ୍‌) ମାଧ୍ୟମରେ ଠକେଇ କରାଯାଉଛି । ଠକ କୌଣସି ଏକ ସହରରେ ବସି ଏହି ଆପ୍ଲିକେସନ ଚଲାଉଛନ୍ତି । ପ୍ରତି ରାଜ୍ୟ କିମ୍ବା ପ୍ରତି ସହରରେ ଜଣେ ଜଣେ ଏଜେଣ୍ଟ ରଖି ଏଭଳି ଠକେଇ କରାଯାଉଛି । ସୋସିଆଲ ମିଡ଼ିଆରେ ବିଜ୍ଞାପନ ଦେଇ ଲୋକଙ୍କୁ ଆକୃଷ୍ଟ କରୁଛନ୍ତି । ପରେ ଲୋକେ ଆପ୍ଲିକେସନ୍‌କୁ ନିଜ ମୋବାଇଲ୍‌ରେ ଇନ୍‌ଷ୍ଟଲ କରିବା ପରେ ଟଙ୍କା ଦେଇ ପଞ୍ଜିକରଣ କରୁଛନ୍ତି । ଏହାପରେ ଠକ ସେମାନଙ୍କୁ ବିଭିନ୍ନ ସ୍କିମ୍‌ର ଲୋଭ ଦେଖାଇ ଟଙ୍କା ଜମା କରିବାକୁ କହୁଛନ୍ତି । ଜମାକାରୀ ଅନ୍‌ଲାଇନ୍ ମାଧ୍ୟମରେ ଟଙ୍କା ଜମା କରିବା ପରେ ବିଶ୍ୱାସ ଜମାଇବା ପାଇଁ କିଛି ମାସ ପର୍ଯ୍ୟନ୍ତ ଅଧିକ ସୁଧ ଦେଉଛନ୍ତି । ଯାହାଫଳରେ ଏକାଧିକ ଲୋକେ ଏଥିରେ ଟଙ୍କା ଜମା କରିବା ପରେ ସେମାନେ ରାତିଆ ରାତି ଆପ୍ଲିକେସନ୍‌କୁ ବନ୍ଦ କରି ଫୋନ୍ ନମ୍ବର ଫିଙ୍ଗି ଦେଉଛନ୍ତି । ତେଣୁ ଗତ କିଛି ମାସ ହେବ ଏଭଳି ଠକେଇ ଅଭିଯୋଗ ବିଭିନ୍ନ ଥାନା ଏବଂ ସାଇବର ଥାନାକୁ ଆସିବା ପରେ ପୁଲିସ ସ୍ୱତନ୍ତ୍ର ନଜର ରଖିଛି । ଏପରିକି ଲୋକଙ୍କୁ ଏଭଳି ବେନାମି ଆପ୍ ଉପରେ ଭରସା କରିବାକୁ ମଧ୍ୟ ମନା କରିଛନ୍ତି । ପୂର୍ବରୁ ମଧ୍ୟ ଏଭଳିଭାବେ ଲୋନ୍ ଆପ୍ ମାଧ୍ୟମରେ ଏକାଧିକ ଠକେଇ ହୋଇଥିଲା । ଏହି ଲୋନ୍ ଆପ୍‌କୁ ମୋବାଇଲ୍‌ରେ ଇନ୍‌ଷ୍ଟଲ କରିବା ପରେ ମୋବାଇଲ୍‌ରେ ଥିବା ସବୁ ତଥ୍ୟ ଚୋରି ହୋଇଯାଉଥିଲା । ତେଣୁ ଏହିଭଳି ଅନେକ ବେନାମି ଆପ୍ ମୋବାଇଲ୍‌ରେ ଇନ୍‌ଷ୍ଟଲ କଲେ ମୋବାଇଲ୍‌ର ସମସ୍ତ ଡାଟା ଚୋରି ହୋଇଯାଉଛି । ତେଣୁ ଏନେଇ ପୁଲିସ ଏବେ ଲୋକଙ୍କୁ ସଚେତନ କରିବା ସହ ଏଭଳି ଠକ ଆପ ଉପରେ ନଜର ରଖିଛି ।
ଆପ୍ ଜାଲରେ ଯୁବପିଢୀ:
ଏହି ଚିଟ୍‌ଫଣ୍ଡ ଠକେଇ ଜାଲରେ ଅଧିକାଂଶ ଫସୁଛନ୍ତି ଯୁବପିଢୀ । ସେମାନେ ରାତିଆ ରାତି କୋଟି ପତି ହେବା ଲୋଭରେ ଲକ୍ଷାଧିକ ଟଙ୍କା ହରାଉଛନ୍ତି । ଅନେକ ମଧ୍ୟ ଆତ୍ମହତ୍ୟା ଭଳି ରାସ୍ତାକୁ ମଧ୍ୟ ଆପଣାଉଛନ୍ତି । ଯାହାକି ବିଗଦ ଦିନରେ ରାଜଧାନୀରେ ଦେଖିବାକୁ ମିଳିଛି । ଠକ ଟ୍ରେଡିଂ ଆପ୍ ଭଳି ଏକାଧିକ ଚିଟ୍‌ଫଣ୍ଡ ସଂସ୍ଥା ଆପ୍ କରିଛନ୍ତି । ନା ସେ ଆପ୍‌ର ପଞ୍ଜିକରଣ କରାଯାଇଛି । ନା ପୁଲିସ ପାଖରେ ଏନେଇ କିଛି ତଥ୍ୟ ଅଛି । ସଫ୍ଟୱେୟାର ଇଂଞ୍ଜିନିୟର ଦ୍ୱାରା ଏକାଧିକ କୋର୍ଡ ମାଧ୍ୟମରେ ଏହି ଆପ୍ ପ୍ରସ୍ତୁତ କରୁଛନ୍ତି । ଏହାକୁ ସାଧାରଣ ଲୋକେ ପ୍ଲେ ଷ୍ଟୋରରୁ ସହଜରେ ଡାଉନ୍‌ଲୋଡ୍ କରିପାରୁଛନ୍ତି । ଏହି ଠକ ସଂସ୍ଥା ସୋସିଆଲ ମିଡ଼ିଆ ମାଧ୍ୟମରେ ଏହି ଆପ୍‌ର ପ୍ରସାର ପ୍ରସାର କରୁଛନ୍ତି । ୫ ହଜାର ଠାରୁ ୫ଲକ୍ଷ ପର୍ଯ୍ୟନ୍ତ ଏହାର ସ୍କିମ୍ ରହିଛି । ଯେଉଁମାନେ ୧୦ ହଜାର ଟଙ୍କା ଜମା କରିବେ ସେମାନଙ୍କର ୧୦ ଦିନରେ ଡବଲ ହୋଇଯିବାର ସଂସ୍ଥା ସ୍ୱପ୍ନ ଦେଖାଉଛନ୍ତି । ଏହି ଲୋଭରେ ପଡି ଏକାଧିକ ଲୋକେ ଏହି ଆପ୍ ମାଧ୍ୟମରେ ଟଙ୍କା ଜମା କରୁଛନ୍ତି । ପରେ ଠକ ଏହି ଆପ୍‌କୁ ବନ୍ଦ କରି ପାର୍ ହୋଇଯାଉଛନ୍ତି ।
ରାଜ୍ୟ ବାହାରୁ ଅପ୍‌ରେଟ୍‌:
ଏକାଧିକ ଅନ୍‌ଲାଇନ୍ ଚିଟ୍‌ଫଣ୍ଡ ସଂସ୍ଥା ମୁଖ୍ୟତଃ ରାଜ୍ୟ ବାହାରୁ ଅପ୍‌ରେଟ୍ ହେଉଛି । ଏହାର ମାଷ୍ଟରମାଇଣ୍ଡ ରାଜ୍ୟ ବାହାରେ ବସି ବିଭିନ୍ନ ରାଜ୍ୟରେ ସେମାନଙ୍କର ଏଜେଣ୍ଟ ରଖୁଛନ୍ତି । ଏହି ଏଜେଣ୍ଟ ବିଭିନ୍ନ ଉପାୟରେ ଆପ୍‌ର ପ୍ରଚାର ପ୍ରସାର କରୁଛନ୍ତି । ଏହି ଆପ୍ ଠକେଇରେ ମଧ୍ୟ ଚେନ୍‌୍ ସିଷ୍ଟର ରଖାଯାଉଛି । ଜଣେ ଜମାକାରୀ ଏହି ଆପ୍‌ରେ ଟଙ୍କା ଜମା କରିବା ପରେ ସେ ଏକାଧିକ ପିଲାଙ୍କୁ ଆଣିଲେ ତା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଦିଆଯାଉଛି । ବିଦେଶ ଭ୍ରମଣ ଠାରୁ ଆରମ୍ଭ କରି ତାରକା ହୋଟେଲରେ ରହିବା ବ୍ୟବସ୍ଥା ମଧ୍ୟ କରାଯାଉଛି । ଏଭଳି ମନୋଲୋଭା ସ୍କିମ୍ ମାଧ୍ୟମରେ ଏକାଧିକ ଯୁବପିଢୀ ଫସିଯାଉଛନ୍ତି ।
ଅନଲାଇନ୍ ଚିଟ୍‌ଫଣ୍ଡ ଠକେଇକୁ ସାହାରା ସୋସିଆଲ ମିଡ଼ିଆ:
ଏହି ଅନ୍‌ଲାଇନ୍ ଚିଟ୍‌ଫଣ୍ଡ ସଂସ୍ଥାକୁ ସାହାରା ହେଉଛି ସୋସିଆଲ ମିଡ଼ିଆ । କାରଣ ସେମାନେ ନିଜର ଆପ୍‌କୁ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି । ଏହାସହ ୟୁ-ଟ୍ୟୁବ୍ ଜରିଆରେ ପ୍ରଚାର ପ୍ରସାର କରୁଛନ୍ତି । କିଛି ୟୁ-ଟୁଭର ମାନଙ୍କୁ ଅର୍ଥ ଦେଇ ସେମାନଙ୍କୁ ସ୍କିମ୍‌କୁ ପ୍ରଚାର ପ୍ରସାର କରୁଛନ୍ତି । ବିଶେଷ କରି ଓଡ଼ିଶାରେ ଯେଉଁ ୟୁ-ଟୁବ୍ ଚ୍ୟାନେଲ ଅଧିକ ଲୋକ ଦେଖୁଛନ୍ତି, ସେମାନଙ୍କୁ ଏହି ଠକ ସଂସ୍ଥା ଟାର୍ଗେଟ କରୁଛନ୍ତି । ତେଣୁ ଲୋକେ ଏହି ଠକେଇ ମାୟା ଜାଲରେ ଫସି ଯାଉଛନ୍ତି ।
ପୂର୍ବରୁ ହୋଇଥିବା ଅନ୍‌ଲାଇନ୍ ଚିଟ୍‌ଫଣ୍ଡ ଠକେଇ:
ଏହିପରି ଆରୋକ୍ସା ଡିଲ ମଲ୍ଟିଟ୍ରେଡ ଚିଟ୍‌ଫଣ୍ଡ ସଂସ୍ଥା ଏହିଭଳି ଅନ୍‌ଲାଇନ୍‌ରେ ଲୋକଙ୍କ ଠାରୁ ୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଥିଲେ । ସେମାନେ ଆପ୍ କରି ମନଲୋଭା ସ୍କିମ୍ କରି ଲୋକଙ୍କୁ ଟଙ୍କା ଜମାକରିବାକୁ କହି ଲୁଟୁଥିଲେ । ଠକେଇର ଶିକାର ଏକାଧିକ ବ୍ୟକ୍ତି ଇଓଡବ୍ଲ୍ୟୁରେ ଅଭିଯୋଗ କରିବା ପରେ ଏହାର ତଦନ୍ତ କରାଯାଉଛି । ଏହିଭଳି ଏକ ସଂସ୍ଥା ଏକାଧିକ ଲୋକଙ୍କୁ ଠକେଇ କରିଥିବା ନେଇ ସାଇବର ଥାନାରେ ଅଭିଯୋଗ ହୋଇଥିଲା । ସେମାନେ ଲୋକଙ୍କୁ ଟଙ୍କା ଡବଲ କରାଇ ଦେବାକୁ କହି ଏକାଧିକ ସ୍କିମ୍ ଦେଉଥିଲେ । ଲୋକେ ଲୋଭରେ ପଡ଼ି ଟଙ୍କା ଜମା କରି ଠକେଇର ଶିକାର ହୋଇଥିଲେ ।

Leave a Reply

Your email address will not be published. Required fields are marked *