ଜେଲ୍ରୁ ହସ୍ପିଟାଲ୍ ଯିବା ବେଳେ ବଞ୍ଚିଥିଲେ ଗୋବିନ୍ଦ !
ବଲାଙ୍ଗିର :- କଣ୍ଟାବାଞ୍ଜି ଉପ-କାରାଗାରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯିବା ବେଳେ ଗୋବିନ୍ଦ ସାହୁ ବଞ୍ଚିଥିଲେ। ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା। ଆଜି ଗଣମାଧ୍ୟମ ଆଗରେ ଏହି କଥା କହିଛନ୍ତି ଗୋବିନ୍ଦଙ୍କ ଓକିଲ ଦୁର୍ଗାମୋହନ ପାଢ଼ୀ।
ଗତ ୨୦ ତାରିଖରେ ଗୋବିନ୍ଦ ସାହୁଙ୍କର ମୃତ୍ୟୁ ଘଟିଥିଲା। ଜାମିନ୍ ଆବେଦନର ଶୁଣାଣି ପୂର୍ବରୁ ଜେଲରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ତାଙ୍କ ମୃତ୍ୟୁକୁ ନେଇ ରହସ୍ୟ ଜାରି ରହିଛି। ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ମାମଲାକୁ ନେଇ ରାଜ୍ୟ ରାଜନୀତି ବି ଜୋର ଧରିଛି। ବିଜେପି ଘଟଣାର ସିବିଆଇ ତଦନ୍ତ ଦାବି କରିଥିବା ବେଳେ କଂଗ୍ରେସ ରାଜ୍ୟପାଳଙ୍କୁ ଭେଟି ଘଟଣାର ସିବିଆଇ କିମ୍ବା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟ୍ ତଦନ୍ତ କରିବାକୁ ଦାବି କରିଛି। ବର୍ତ୍ତମାନ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି।