ଉପକୂଳ ଓଡ଼ିଶାର ମନ୍ଦିର ଉପରେ ଆନ୍ତଃରାଷ୍ଟ୍ର ମୂର୍ତ୍ତି ଚୋରଙ୍କ ନଜର,୧୧ବର୍ଷରେ ୫୪୦ ମୂର୍ତ୍ତି ଚୋରି ମାମଲା

ଭୁବନେଶ୍ୱର (ରିପୋର୍ଟ:-ସୁଶାନ୍ତ ପାତ୍ର) : -ରାଜଧାନୀ ଉପକଣ୍ଠ ଟଙ୍କପାଣି ମନ୍ଦିରରୁ ୮ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ହେବା ପରେ ପୁଣି ଓଡ଼ିଶାରେ ମୂର୍ତ୍ତି ଚୋରି ରାକେଟ୍ ସକ୍ରିୟ ଥିବା ସ୍ପଷ୍ଟ ହୋଇଛି । ଚୋରି ହୋଇଥିବା ମୂର୍ତ୍ତି ବହୁ ପୁରାତନ ହୋଇଥିବାରୁ ଆନ୍ତଃରାଷ୍ଟ୍ର ବାଜାରରେ ଏହାର ମୂଲ୍ୟ ୩କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଐତିହାସିକମାନେ ମତ ଦେଇଛନ୍ତି । ଏହି ମୂର୍ତ୍ତି ଚୋରି ପଛରେ ଆନ୍ଧ୍ରା ଏବଂ ଗଞ୍ଜାମ ଗ୍ୟାଙ୍ଗର ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି । ମନ୍ଦିରରେ ଢିଲା ସୁରକ୍ଷା ବ୍ୟବସ୍ଥା, ସିସିଟିଭି ନଥିବା ପାଇଁ ଚୋରି କରିବା ପାଇଁ ସୁଯୋଗ ମିଳୁଛି । ପୁଲିସ ତଥ୍ୟ ଅନୁସାରେ ଗତ ୧୧ବର୍ଷରେ ରାଜ୍ୟରୁ ୪୫୦ଟି ଐତିହ୍ୟ ଚୋରି ମାମଲା ବିଭିନ୍ନ ଥାନାରେ ରୁଜୁ କରାଯାଇଛି । ବିଶେଷ କରି ଅଧିକାଂଶ ମୂର୍ତ୍ତି ଚୋରି ଉପକୂଳ ଓଡ଼ିଶାରେ ବେଶି ହୋଇଛି । ପୁରୀ,ଖୋର୍ଦ୍ଧା,କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା,ଖୋର୍ଦ୍ଧା,ଯାଜପୁର ଏବଂ ଭଦ୍ରକରେ ଅଧିକ ମାମଲା ହେଉଛି । ଏହି ଜିଲ୍ଲାରେ ଥିବା ମୂର୍ତ୍ତି ଚୋରି ପଛରେ ଆନ୍ତଃରାଷ୍ଟ୍ର ଗ୍ୟାଙ୍ଗର ସଂପୃକ୍ତ ରହୁଛି । ସେମାନେ ନିଶା ବ୍ୟବସାୟ କରିବା ସହ ଆନ୍ତଃରାଷ୍ଟ୍ର ବଜାରରେ କୋଟି କୋଟି ଟଙ୍କାର ମୂର୍ତ୍ତି ବିକ୍ରି କରୁଛନ୍ତି । ତେଣୁ ଗତ ୧୧ବର୍ଷରେ ଓଡ଼ିଶାରୁ ୪୦କୋଟିର ଉର୍ଦ୍ଧ୍ୱ ମୂର୍ତ୍ତି ଦେଶ ବାହାରେ ବିକ୍ରି ହୋଇଥିବା ଐତିହାସିକମାନେ ମତ ଦେଇଛନ୍ତି । ବିଶେଷ କରି ଗତ ୪ ମାସରେ ପୁରୀରେ ୨୦ଟି ମୂର୍ତ୍ତିର୍ ଚୋରି ମାମଲା ରୁଜୁ ହୋଇଛି । କେବଳ ହାତ ଗଣତି ମାମଲାରେ ପୁଲିସ ସଫଳତା ପାଇଥିବା ବେଳେ ବାକି ମାମଲାରେ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହୋଇଛି । ଆନ୍ଧପ୍ରଦେଶ,ତାମିଲନାଡୁରେ ସର୍ବାଧିକ ମୂର୍ତ୍ତି ଚୋରି ହେବା ପରେ ସେଠାରୁ ପୁଲିସ କଡ଼ା ପଦେକ୍ଷପ ନେଇ ସ୍ୱତନ୍ତ୍ର ୱିଙ୍ଗ୍ ଗଠନ କରିଛନ୍ତି । ଯାହାଫଲରେ ଏହି ୱିଙ୍ଗ୍ କେବଳ ମୂର୍ତ୍ତି ଚୋରି ସମ୍ପର୍କରେ ତଦନ୍ତ କରି ରାକେଟ୍‌କୁ ଧରିବା । ଯେଉଁଥି ପାଇଁ ଗତ କିଛି ବର୍ଷ ହେବ ସେଠାରେ ମୂର୍ତ୍ତି ଚୋରି କରିଛି । ଓଡ଼ିଶା ପୁଲିସ ୧୯୭୦ ମସିହାରେ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରିଥିଲା । ଏହି ସେଲ୍‌ର ମୁଖ୍ୟ କାମ ଥିଲା ମୂର୍ତ୍ତି ଚୋରି ମାମଲାରେ ତଦନ୍ତ କରି ରାକେଟ୍‌କୁ ଧରିବେ । ହେଲେ ଓଡ଼ିଶା ପୁଲିସର ଏହି ସେଲ୍ ଆଉ କାମ କରୁନି । ଆହୁରି ମଧ୍ୟ ଓଡ଼ିଶାରେ ଥିବା ୫୦ ପ୍ରତିଶତ ପୁରାତନ ମୂର୍ତ୍ତି ଆଇନଗତ ଭାବେ ଏବେବି ପଞ୍ଜିକୃତ ତାଲିକାରେ ସ୍ଥାନ ପାଇନି । ଏହି ସବୁ କାରଣ ପାଇଁ ମୂର୍ତ୍ତି ଚୋରଙ୍କ ନଜର ଓଡ଼ିଶାର ପୁରାତନ ମନ୍ଦିର ଉପରେ । ନିୟମ ଅନୁସାରେ ଓଡ଼ିଶାରୁ ଯେଉଁଠୁ ମୂର୍ତ୍ତି ଚୋରି ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବ, ଏନେଇ କ୍ରାଇମ୍‌ବ୍ରାଞ୍ଚକୁ ସୂଚିତ କରିବ । ଖବର ପାଇବା ପରେ କ୍ରାଇମ୍‌ବ୍ରାଞ୍ଚ ଯାଇ ଅଭିଯୁକ୍ତଙ୍କୁ ପଚରାଉଚରା କରି ଏହି ରାକେଟ୍‌ର ଲିଙ୍କ୍ ସମ୍ପର୍କରେ ତଥ୍ୟ ଉଗାଳିବ । କିନ୍ତୁ ବର୍ତ୍ତମାନ ପୁଲିସ ମୂର୍ତ୍ତି ଚୋରଙ୍କୁ ଗିରଫ କଲେ କ୍ରାଇମ୍‌ବ୍ରାଞ୍ଚକୁ ଅବଗତ କରୁନାହାନ୍ତି । ଯେଉଁଥି ପାଇଁ ମୂର୍ତ୍ତି ଚୋରି ରାକେଟ୍‌ର ପର୍ଦ୍ଦାଫାସ ହେଉନାହିଁ । ଗିରଫ ଅଭିଯୁକ୍ତ ଜାମିନ୍‌ରେ ଆସି ପୁଣି ମୂର୍ତ୍ତି ଚୋରି କରୁଛନ୍ତି । ମୂର୍ତ୍ତି ଚୋର ଏଏସ୍‌ଆଇ(ପତ୍ନତତ୍ତ୍ୱ ବିଭାଗ)ର ୱେବ୍‌ସାଇଟ୍‌ରୁ ଓଡ଼ିଶାରୁ ପୁରାତନ ମନ୍ଦିରକୁ ଠାବ କରୁଛନ୍ତି । ପ୍ରଥମେ ଭକ୍ତ ହୋଇ ମନ୍ଦିରକୁ ଯାଉଛନ୍ତି । ଆଉ ପରେ ମୂର୍ତ୍ତିକୁ ଚିହ୍ନଟ କରିବା ପରେ ସେମାନେ ଭିକାରୀ ବେଶରେ ମନ୍ଦିର ଆଗରେ ବସୁଛନ୍ତି । ସୁଯୋଗ ଦେଖି ମନ୍ଦିର ତାଲା ତାଡ଼ି ମୂର୍ତ୍ତି ଚୋରି କରି ରାତିଆ ରାତି ଓଡ଼ିଶା ପାର କରି ଦେଉଛନ୍ତି । ୧୯୫୦ ଦଶକରୁ ଓଡ଼ିଶାରେ ଏହି ଅପରାଧ ଆରମ୍ଭ ହୋଇଥିବା ବେଳେ ଏବେ ସୁଦ୍ଧା ଦେଶରୁ ପ୍ରାୟ ୧୦ ହଜାରରୁ ୩୦ ହଜାର ମୂର୍ତ୍ତି ଚୋରି ହେଲାଣି । ଜାତୀୟ କ୍ରାଇମ୍ ରୋକର୍ଡ ବ୍ୟୁରୋ(ଏନ୍‌ସିଆରବି) ରିପୋର୍ଟ ଅନୁସାରେ ଭାରତୀୟ ମନ୍ଦିରରୁ ୧୫ ହଜାରରୁ ଅଧିକ ପୁରାତନ ଏତିହ୍ୟ ଚୋରି ହୋଇ ସାରିଲାଣି । ହିନ୍‌ଦୁ ରିଲିଜିୟସ୍ ଆଣ୍ଡ ଚାରିଟେବୁଲ ଏଣ୍ଡୋମେଣ୍ଟସ୍ ବିଭାଗର ଦ୍ୱାରା ୨୦୧୮ ମସିହାରେ କରାଯାଇଥିବା ଏକ ଅଡିଟ୍ ରିପୋର୍ଟର ଅନୁସାରେ ୧୯୯୨ରୁ ୨୦୧୭ ମଧ୍ୟରେ ଦେଶରୁ ୩ହଜାର ୬୭୬ ସଂରକ୍ଷିତ ଐତିହ୍ୟ ସ୍ଥଳରୁ ପାଖାପାଖି ୪୪୦୮ ପୁରାତନ ମୂର୍ତ୍ତି ଚୋରି ହୋଇଥିଲା । ସେଥିମଧ୍ୟରୁ କେବଳ ତାମିଲନାଡୁରୁ ୧୨୦୦ ପ୍ରାଚୀନ ମୂର୍ତ୍ତି ଚୋରି ହୋଇଥିଲା । ୨୦୧୯ ଫେବୃୟାରୀ ୧୪ରେ ଏସ୍‌ଟିଏଫ ଖଣ୍ଡଗିରି ଯଦୁପୁର ଆନ୍ତଃରାଜ୍ୟ ମୂର୍ତ୍ତି ଚୋର ରାଜାକୁ ଧରିଥିଲା । ତା ନିକଟରୁ ୨ଟି ମୂର୍ତ୍ତି ଜବତ କରାଯାଇଥିଲା । ଏହି ମୂର୍ତ୍ତିର ଆନ୍ତଃରାଷ୍ଟ୍ର ବଜାରରେ ଏହାରମୂଲ୍ୟ ୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବା ବୋଲି ଜଣାପଡ଼ିଥିଲା । ସେହିପରି ୨୦୨୧ ଜାନୁୟାରୀ ୩୦ରେ ଖୋର୍ଦ୍ଧା ପୁଲିସ ଆନ୍ତଃରାଜ୍ୟ ୪ମୂର୍ତ୍ତି ଚୋରଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୯ଟି ପୁରାତନ ମୂର୍ତ୍ତି ଜବତ କରାଯାଇଥିଲା । ହେଲେ ଆଜିବି ଏହି ରାକେଟ୍‌ରେ ଥିବା ମାଷ୍ଟରମାଇଣ୍ଡକୁ ଧରିପାରନି ପୁଲିସ । ସେହିପରି ପୁରୀରେ ଗତ ୩ମାସରେ ୧୧ଟି ମୂର୍ତ୍ତି ଚୋରି ନେଇ ମାମଲା ହୋଇଛି ।

Leave a Reply

Your email address will not be published. Required fields are marked *