ବିକେ ଶର୍ମା ଅକ୍ଟୋବରରେ ନେବେ ଅବସର!
ଭୁବନେଶ୍ୱର:-ଓଡ଼ିଶା ପ୍ରିଂଣ୍ଟିଂ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ତଥା ୧୯୮୬ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ବିକେ ଶର୍ମା ଚଳିତବର୍ଷ ଅକ୍ଟୋବର ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେବା ପାଇଁ ରାଜ୍ୟ ସରକାର ଅନମୁତି ଦେଇଛନ୍ତି । ଶ୍ରୀ ଶର୍ମା ଅକ୍ଟୋବର ମାସରେ ୬୦ବର୍ଷ ବୟସରେ ଉପନୀତ ହେଉଥିବାରୁ ତାଙ୍କୁ ସରକାରୀ ଚାକିରିରୁ ଅବସର ନେବାକୁ ଗୃହ ବିଭାଗ ମଙ୍ଗଳବାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି । ଶ୍ରୀ ଶର୍ମାଙ୍କୁ ୨୦୧୯ ନଭେମ୍ବର ୨୦ତାରିଖରେ ନାଟକୀୟ ଢଙ୍ଗରେ ପୁଲିସ ଡିଜି ପଦବୀରୁ ହଟାଇ ଦେଇ ରାଜ୍ୟ ସରକାର ତାଙ୍କ ବିରୁଦ୍ଧରେ ଅଗ୍ନିଶମ ସାର୍ଟିଫିକେଟ୍ ପ୍ରଦାନକୁ ନେଇ ବ୍ୟାପକ ଅନିୟମିତତାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୦୧୭ ନଭେମ୍ବର ୧ରୁ ୨୦୧୯ ଅକ୍ଟୋବର ମାସ ପର୍ଯ୍ୟନ୍ତ ଶ୍ରୀ ଶର୍ମା ଅଗ୍ନିଶମ ବାହିନୀର ମୁଖ୍ୟ ଭାବେ ଅଗ୍ନିଶମ ସାର୍ଟିଫିକେଟ୍ ପ୍ରଦାନରେ ବ୍ୟାପକ ଅନିୟମିତତା କରିଥିବାର ଅଭିଯୋଗ ଆଣି ତା’ର ତଦନ୍ତ ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସରକାର ୩ଜଣିଆ କମିଟି ଗଠନ କରିଥିଲେ । କମିଟିରେ ତତ୍କାଳୀନ ଉନ୍ନୟନ କମିଶନର ଓ ଗୃହ ସଚିବ ମଧ୍ୟ ସଦସ୍ୟ ଥିଲେ । ଏହି କମିଟି କେବେ ବୈଠକ କଲା ଓ କ’ଣ ରିପୋର୍ଟ ଦେଲା ତା’ର କେହି ଟେର ପାଇଲେନି । ଏପରିକି ଗୃହ ବିଭାଗର ଆଇପିଏସ୍ ସେକ୍ସନରେ ମଧ୍ୟ ଶ୍ରୀ ଶର୍ମାଙ୍କ ବିରୁଦ୍ଧରେ ହୋଇଥିବା ତଦନ୍ତର କୌଣସି ରେକର୍ଡ ବି ନଥିବା ଜଣାପଡ଼ିଛି ।
ଶ୍ରୀ ଶର୍ମାଙ୍କୁ ୨୦୧୯ ନଭେମ୍ବର ମାସରୁ ପ୍ରାୟ ୧୩ମାସ ଧରି ଗୃହ ବିଭାଗର ଓଏସଡି କରି ଘରେ ବସାଇ ରଖିବା ପରେ ରାଜ୍ୟ ସରକାର ପ୍ରିଣ୍ଟିଂ ପ୍ରେସ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି । ଏବେ ସେ ଏହି ପଦବୀରେ କାର୍ଯ୍ୟ କରୁଥିବାବେଳେ ଗୃହ ବିଭାଗ ଏପ୍ରିଲ ୧୮ ଓ ୧୯ତାରିଖରେ ଦୁଇଟି ସମାନ ବିଜ୍ଞପ୍ତି ଜାରି କରି ତାଙ୍କୁ ୨୦୨୨ ଅକ୍ଟୋବର ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେବାକୁ ଅନୁମତି ଦେଇଛି । ଶ୍ରୀ ଶର୍ମା ଅକ୍ଟୋବର ମାସରେ ୬୦ବର୍ଷ ବୟସର ହେଉଥିବାରୁ ତାଙ୍କୁ ସରକାରୀ ଚାକିରିରୁ ଅବସର ନେବାକୁ ପଡ଼ିବ ।