ବମିଖାଲରେ ଖଣ୍ଡା ବୁଲାଇଲେ ମାମୁଁ-ଭଣଜା, ବାଲି ମାଫିଆ ଚାପରେ ମାମଲାକୁ ରଫାଦଫା କରୁଥିଲେ ଏସ୍‌ଆଇ

ଭୁବନେଶ୍ୱର:-ପୁଲିସ ବିଭାଗରେ ‘ମୋ ସରକାର’ ଲାଗୁ ହେବା ପରେ ଅଭିଯୋଗକାରୀଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ ସଦାବେଳେ ଗୁରୁତ୍ୱ ଦିଆଯାଉଛି । ହେଲେ ଲକ୍ଷ୍ମୀସାଗର ଥାନାରେ ଏହାର ଓଲଗା ଦେଖିବାକୁ ମିଳିଛି । ଜଣେ ବାଲିମାଫିଆଙ୍କ ଚାପରେ ଆସି ଥାନାର ଜଣେ ଏସ୍‌ଆଇ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରଫାଦଫା କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ଆସିଛି । ବୁଧବାର ରାତିରେ ବମିଖାଲ ଗାଁରେ ମାମୁଁ-ଭଣଜା ଖଣ୍ଡା ବୁଲାଇ ଆତଙ୍କ କଲେ । ଏପରିକି ଗାଁର ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ହାଣିବାକୁ ଉଦମ୍ୟ କଲେ । କିନ୍ତୁ କୌଣସି ମତେ ଯୁବକ ଜଣଙ୍କ ସେମାନଙ୍କ କବଳରୁ ବର୍ତ୍ତି ଯାଇ ଥାନାର ଦ୍ୱାରସ୍ଥ ହେଲେ । ହେଲେ ଥାନାରେ ଥିବା ଉକ୍ତ ଏସ୍‌ଆଇ ଜଣଙ୍କ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରିଥିଲେ । ଅଭିଯୋଗକାରୀଙ୍କୁ ଗାଳିଗୁଲଜ କରିବା ସହ ଥାନାରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି । କିନ୍ତୁ ଥାନା ଅଧିକାରୀ ଘଟଣା ବିଷୟରେ ଜାଣିବା ପରେ ତ୍ୱରିତ ପଦେକ୍ଷପ ନେଇ ଆତଙ୍କ ରଚାଇଥିବା ମାମୁଁ-ଭଣଜାଙ୍କୁ କାବୁ କରି ଥାନାକୁ ଆଣି ଅଟକ ରଖିଥିଲେ । କିନ୍ତୁ ଶେଷ ପର୍ଯ୍ୟନ୍ତ ଅଭିଯୁକ୍ତ ମାମୁଁ-ଭଣଜାଙ୍କୁ ଖସାଇବା ପାଇଁ ଏସ୍‌ଆଇ ଜଣଙ୍କ ଭରପୁର ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସେ ସଫଳ ହୋଇନଥିଲେ । ହେଲେ ଏବେ ଥାନାର ଉକ୍ତ ଏସ୍‌ଆଇଙ୍କ କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ ପୂର୍ବରୁ ମଧ୍ୟ ଉକ୍ତ ଏସ୍‌ଆଇଙ୍କ ନାମରେ ଅନେକ ସଂଙ୍ଗୀନ ଅଭିଯୋଗ ଆସିଛି । ଜଗନ୍ନାଥନଗରରେ ଏକ ବଳାତ୍କାର ମାମଲାରେ ମଧ୍ୟ ଉକ୍ତ ଏସ୍‌ଆଇ ମୁଣ୍ଡ ପୁରାଇଥିଲେ । ତାଙ୍କର ବନ୍ଧୁ ସାଜିଥିବା ବାଲିମାଫିଆଙ୍କ ଠାରୁ ହାତଗୁଞ୍ଜା ନେଇ ମାମଲାକୁ ରଫାଦଫା କରି ଅଭିଯୁକ୍ତକୁ ଖସାଇ ଦେଇଥିଲେ । ଯେଉଁଥି ପାଇଁ ପିଡୀତା ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥିଲେ । ଏବେ ଥାନାର ଉକ୍ତ ଏସ୍‌ଆଇ ହସ୍ତେକ୍ଷପ ବଢୁଥିବାରୁ ଅଯଥାରେ ଥାନା ଅଧିକାରୀ ବଦନାମ ହେଉଥିବା ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, ସିଦ୍ଧାର୍ଥ ଗତକାଲି ରାତିରେ ଘରକୁ ଫେରୁଥିବା ସମୟରେ ମାମୁଁ-ଭଣଜା ମଦ ପାନ କରି ତାଙ୍କୁ ଅଟକାଇଥିଲେ । ପରେ ତାଙ୍କୁ ଗାଳିଗୁଲଜ କରିଥିଲେ । ସେ ପ୍ରତିବାଦ କରିବାକୁ ତାଙ୍କୁ ଖଣ୍ଡା,ଭୁଜାଲି ଧରି ହାଣିବାକୁ ଗୋଡ଼ାଇଥିଲେ । ଜୀବନ ବିକଳରେ ସିଦ୍ଧାର୍ଥ ଦୌଡ଼ି ଘର ଭିତରେ ପଶିଯାଇଥିଲେ । ଏହାପରେ ଅଭିଯୁକ୍ତ ଦୁଇ ଜଣ କବାଟକୁ ହାଣିବା ପରେ ଗାଁ ଭିତରେ ଆତଙ୍କ ରଚାଇଥିଲେ । ଯଦି କେହି ସେମାନଙ୍କୁ ବିରୋଧରେ ଥାନାରେ କହିବେ, ତାଙ୍କୁ ହାଣିବେ ବୋଲି ଖଣ୍ଡା ବୁଲାଇ ଧମକ ଦେଇଥିଲେ । ମାମୁଁ-ଭଣଜାଙ୍କ ଭୟରେ କେହି ବାହାରକୁ ବାହାରିନଥିଲେ । ସକାଳୁ ସିଦ୍ଧାର୍ଥ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ହେଲେ ଥାନାରେ ଥିବା ଜଣେ ଏସ୍‌ଆଇ ତାଙ୍କୁ ବିଦା କରି ଦେଇଥିଲେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *