କୋଭିଡ୍ ସଂକ୍ରମଣ ବଢ଼ିଲେ ପ୍ରଚାରରେ ଲାଗିବ କଟକଣା’

ଭୁବନେଶ୍ୱର:-ପୌର ନିର୍ବାଚନ ପ୍ରଚାରରେ ରହିବ ନାହିଁ କୌଣସି କୋଭିଡ୍ କଟକଣା। ପ୍ରାର୍ଥୀମାନେ ପୂର୍ବରୁ ଯେମିତି ପ୍ରଚାର କରୁଥିଲେ ସେଭଳି ପ୍ରଚାର କରିପାରିବେ। ରାଜ୍ୟରେ କୋଭିଡ୍ ସଂକ୍ରମଣ କମୁଥିବାରୁ ରାଜ୍ୟ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଯଦି ଆଗକୁ ସଂକ୍ରମଣ ବୃଦ୍ଧି ପାଏ ତାହା ହେଲେ କଟକଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି।ଏଥର ମୋଟ ୧୮ଶହ ୯୯ଟି ଓ୍ୱାର୍ଡରେ ପୌର ନିର୍ବାଚଚନ ହେଉଛି। ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୭୩୧ ଓ ୩ ମହାନଗରର ୧୬୧ଟି ଓ୍ୱାର୍ଡରେ ଭୋଟ ଗ୍ରହଣ ହେବ। ଏଥିପାଇଁ ୪ ହଜାର ୪୭୫ଟି ବୁଥ କରାଯିବ। ୪୨ ଲକ୍ଷ ଭୋଟର ଚଳିତ ପୌର ନିର୍ବାଚନରେ ଭୋଟ ଦେବେ।

ଆଜି ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବା ବେଳେ ଆସନ୍ତା ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଆସନ୍ତା ୧୪ ତାରିଖ ଦିନ ୩ଟା ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ। ନିର୍ବାଚନ ଇଭିଏମ୍‌ରେ ହେଉଥିବାରୁ ୩ଟି ଷ୍ଟ୍ରଙ୍ଗରୁମ ବ୍ୟବସ୍ଥା ହୋଇଛି।

ଗୋଟିଏ ଷ୍ଟ୍ରଙ୍ଗ ରୁମରେ କାଉନ୍ସିଲର କିମ୍ବା କର୍ପୋରେଟରଙ୍କ ପାଇଁ ଭୋଟଗ୍ରହଣ ହୋଇଥିବା ଇଭିଏମ୍ ରଖାଯିବ। ଅନ୍ୟ ଷ୍ଟ୍ରଙ୍ଗ ରୁମ୍‌ରେ ମେୟର ଓ ଚେୟାରମ୍ୟାନଙ୍କ ପାଇଁ ଭୋଟଗ୍ରହଣ ହୋଇଥିବା ଇଭିଏମ୍ ରଖାଯିବ। ତୃତୀୟ ଷ୍ଟ୍ରଙ୍ଗରୁମରେ ରିଜର୍ଭ EVMକୁ ରଖାଯିବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନର।

Leave a Reply

Your email address will not be published. Required fields are marked *