ସୁରାଟରୁ ହରିଦ୍ୱାର ଆସିଥିବା ‘ଶ୍ରମିକ ସ୍ପେଶାଲ’ ଟ୍ରେନରୁ ୧୬୭ ଯାତ୍ରୀ ଚମ୍ପଟ୍

ହରିଦ୍ୱାର:-ଗୁଜୁରାଟର ସୁରଟରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସିଥିବା ‘ଶ୍ରମିକ ସ୍ପେଶାଲ’ ଟ୍ରେନରୁ ୧୬୭ ଜଣ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ଶ୍ରମିକମାନେ ଗୁରୁବାର ହରିଦ୍ୱାର ଷ୍ଟେସନରେ ଅବତରଣ କରିବା ପରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସେମାନଙ୍କ ସୂଚୀ ମେଳ କରାଯାଇଥିଲା। ଏଥିରେ ଏତେ ସଂଖ୍ୟକ ଯାତ୍ରୀ ନିଖୋଜ ଥିବା ଜଣାପଡିବା ଏବେ ପ୍ରଶାସନ ଲାଗି ଚିନ୍ତାର କାରଣ ପାଲଟିଛି।ଯେଉଁ ଯାତ୍ରୀମାନଙ୍କୁ ଟ୍ରେନରୁ ଖାଲି କରାଯାଇଛି ସେମାନେ ସୂଚୀ ଅନୁସାରେ ନଥିବା ହରିଦ୍ୱାର ମାଜିଷ୍ଟ୍ରେଟ୍ ସି.ରବି ଶଙ୍କର କହିଛନ୍ତି। ଏଥିରେ ହୋଇଥିବା ଅନିୟମିତତାର ଯାଞ୍ଚ ହେବ ବୋଲି ସେ କହିଥିବା ବେଳେ ଯାତ୍ରୀମାନେ ଯଦି ସୁରଟରେ ଟ୍ରେନରେ ଉଠିଛନ୍ତି ତେବେ ଏହା ନିଶ୍ଚିତ ରୂପେ ଏକ ଗୁରୁତର ଘଟଣା। ଏବେ ମାମଲାର ତଦନ୍ତ କରାଯାଉଥିବା ଓ ତଦନ୍ତ ସରିଲେ କାର୍ଯ୍ୟାନୁଷ୍ଠାନ କରାଯିବା ନିଶ୍ଚିତ ବୋଲି ସେ କହିଛନ୍ତି।ସୁରଟ ପ୍ରଶାସନରୁ ମିଳିଥିବା ସୂଚନା ଅନୁସାରେ ମେ ୧୨ ତାରିଖ ଦିନ ଯାତ୍ରା କରିଥିବା ଏହି ଶ୍ରମିକ ସ୍ପେଶାଲ ଟ୍ରେନରେ ମୋଟ ୧ହଜାର ୩୪୦ ଜଣ ଯାତ୍ରୀଙ୍କୁ ପଠାଯାଇଥିଲା। ତେବେ ହରିଦ୍ୱାର ଷ୍ଟେସନରେ କର୍ତ୍ତୃପକ୍ଷ ଟ୍ରେନରୁ ୧ହଜାର ୧୭୩ଜଣଙ୍କୁ ଓହ୍ଲାଇଛନ୍ତି। ଏ ନେଇ ସୁରଟ ପ୍ରଶାସନ ସହ ଯୋଗାଯୋଗ କରାଯାଉଛି ବୋଲି ଡିଏମ କହିଛନ୍ତି। ସେଠାରୁ ଏତିକି ସଂଖ୍ୟକ ଯାତ୍ରୀଙ୍କୁ ସେମାନେ ପଠାଇଥିଲେ ନା ଟ୍ରେନରେ ଉଠିବା ପରେ ୧୬୭ଜଣ ମଝି ରାସ୍ତାରେ  କେଉଁଠି ଓହ୍ଲାଇ ଯାଇଛନ୍ତି ତାହା ଏବେ ତଦନ୍ତ ସାପେକ୍ଷ ବୋଲି ମାଜିଷ୍ଟ୍ରେଟ୍ କହିଛନ୍ତି।  

Leave a Reply

Your email address will not be published. Required fields are marked *