କଡାକଡ଼ି ହେଲା ନାଇଟ୍ କର୍ଫ୍ୟୁ,ପୁଲିସ କମିଶନର ବିଭିନ୍ନ ସ୍ଥାନରେ ବୁଲି ସ୍ଥିତି ଯାଞ୍ଚ କଲେ
ଭୁବନେଶ୍ୱର:- କମିଶନରେଟ୍ ପୁଲିସ ନାଇଟ୍ କୁର୍ଫ୍ୟୁକୁ କଡାକଡି କରିଛି । ଶୁକ୍ରବାର ରାତି ୯ଟାପରେ ସହର ସାରା ପୁଲିସ ଭ୍ୟାନ୍ ପଇଁତରା ମାରି ଦୋକାନ ମଲ୍ ବନ୍ଦ କରିବାକୁ କହିଥିଲେ । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ରାଜମହଲ ପର୍ଯ୍ୟନ୍ତ ବୁଲି ସ୍ଥିତି ଯାଞ୍ଚ କରିଥିଲେ । ଏହାପରେ କମିଶନର ବାପୁଜୀ ନଗରକୁ ଯାଇ ବୁଲି ଦେଖିଥିଲେ । ଦୋକାନ,ହୋଟେଲ ଏବଂ ଉଠାଦୋକାନୀମାନେ ୯ଟା ପରେ ବନ୍ଦ କରି ନଥିବାରୁ ସେମାନଙ୍କୁ ତାଗିଦ କରିଥିଲେ ।
ରାତି ୯ଟା ପରେ ରାଜଧାନୀର ବିଭିନ୍ନ ଛକରେ ପୁଲିସ ପକ୍ଷରୁ ବ୍ଲକିଂ କରାଯାଇ କଡାକଡି ଯାଞ୍ଚ କରାଯାଇଥିଲା । ଯେଉଁମାନେ ବିନା କାରଣରେ ବୁଲୁଥିଲେ ସେମାନଙ୍କ ଠାରୁ ପୁଲିସ ଜରିମାନା ଆଦାୟ କରିଥିଲା । ପ୍ରଥମ ଦିନରେ କିଛିମାତ୍ରାରେ ଲୋକେ ରାତି ୯ଟା ପରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ସେମାନେ ନିଜର ଗନ୍ତବ୍ୟ ସ୍ଥଳକୁ ଫେରିବାରେ ବିଳମ୍ବ ହୋଇଥିବା ସଫେଇ ଦେଇ ଖସି ଯାଉଥିବାର ଦେଖିବାକୁ ମିଳିଥିଲା । ରାଜଧାନୀର ପ୍ରମୁଖ ୩୬ଟି ଛକରେ ପୁଲିସ ପକ୍ଷରୁ ନାକାବନ୍ଦୀ କରାଯାଇ ଯାଞ୍ଚ କରାଯାଇଥିଲା । ଟ୍ୱିନ୍ ସିଟିରେ ୨୫ ପ୍ଲାଟୁନ୍ ପୁଲିସ ଫୋର୍ସ ଏବଂ ୧୦୦ ଅଫିସର ମୁତୟନ ଅଛନ୍ତି । ରାତିରେ ଯାଉଥିବା ଲୋକଙ୍କୁ ଅଟକାଇ ପରିଚୟପତ୍ର ଯାଞ୍ଚ କରୁଛନ୍ତି । ଯେଉଁମାନେ ବିନା କାରଣରୁ ବୁଲୁଛନ୍ତି ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ।
ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, କୋଭିଡ଼ର ପ୍ରଥମ ଲହରୀ, ଦ୍ୱିତୀୟ ଲହରୀ ପରି ସହରବାସୀ ତୃତୀୟ ଲହରୀରେ ପୁଲିସକୁ ସହଯୋଗ କରିବେ । ସେମାନେ କୋଭିଡ଼ ଗାଇଡ୍ ଲାଇନକୁ ପାଳନ କରିବାକୁ କୁହାଯାଉଛି । ମାସ୍କ ପିନ୍ଧିବା ସହ, ସାମାଜିକ ଦୂରତ୍ୱ ରଖନ୍ତୁ । ରାତି ୯ଟା ପରେ କୌଣସି କାମ ନଥିଲେ ଘରୁ ନ ବାହାରିବାକୁ ସିପି ଲୋକଙ୍କୁ ସଚେତନ କରିଛନ୍ତି । କେବଳ ଜରୁରୀକାଳୀନ ସେବା ଯୋଗାଉଥିବା ବ୍ୟକ୍ତି ରାତିରେ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ । ଯେଉଁମାନେ ଅନାମିଆ ହୋଇ ରାତିରେ ବୁଲିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିପି ଚେତେଇ ଦେଇଛନ୍ତି ।