ଡିସେମ୍ବର ମାସରେ ରାଜଧାନୀରେ ୭୯୨ ମାମଲା,କ୍ୟାପିଟାଲ ଥାନାରେ ସର୍ବାଧିକ ୭୪ଟି ମାମଲା
ଭୁବନେଶ୍ୱର:- ରାଜଧାନୀର ଗତ ଡିସେମ୍ବର ମାସରେ ୭୯୨ଟି ମାମଲା ରୁଜୁ ହୋଇଛି । ସେଥି ମଧ୍ୟରୁ କ୍ୟାପିଟାଲ ଥାନାରେ ସର୍ବାଧିକ ୭୪ଟି ମାମଲା ରୁଜୁ ହୋଇଥିବା ବେଳେ ମଞ୍ଚେଶ୍ୱର ଥାନାରେ ୭୦ଟି ମାମଲା ରୁଜୁ ହୋଇଛି । ନୂଆପଲ୍ଲୀ ଥାନାରେ ୬୭ ମାମଲା ରୁଜୁ କରାଯାଇଥିଲା । ନନ୍ଦନକାନନ ଥାନାରେ ୧୩, ମହିଳା ଥାନାରେ ୧୬ ଏବଂ ତମାଣ୍ଡୋ ଥାନାରେ ୧୮ଟି ମାମଲା ରୁଜୁ କରାଯାଇଥିଲା । ସେହିପରି ଡିସେମ୍ବର ମାସରେ ୯୫୧ଟି ମାମଲାର ତଦନ୍ତ ଶେଷ ହୋଇଛି । କ୍ୟାପିଟାଲ ଥାନାରେ ୭୯ ଏବଂ ମଞ୍ଚେଶ୍ୱର ଥାନାରେ ୭୩ଟି ମାମଲାର ତଦନ୍ତ ଶେଷ ହୋଇଛି ।
ଗତ ବର୍ଷ ରାଜଧାନୀରେ ୨୨ଟି ଥାନାରେ ୯ହଜାର ୨୬୪ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୧୧ହଜାର ୯୧୦ଟି ମାମଲାର ତଦନ୍ତ ଶେଷ ହୋଇଥିଲା । ସହିଦନଗର ଥାନା ସର୍ବାଧିକ ୧ହଜାର ୧୬ଟି ମାମଲାର ତଦନ୍ତ ଶେଷ କରିଥିବା ବେଳେ ଖଣ୍ଡଗିରି ଥାନା ୯୭୬ଟି ମାମଲା, ମଞ୍ଚେଶ୍ୱର ଥାନା ୮୫୩ ମାମଲାର ତଦନ୍ତ ଶେଷ ହୋଇଛି । ନନ୍ଦନକାନନ ଥାନା ସର୍ବନିମ୍ନ ୧୭୯ଟି ମାମଲା ତଦନ୍ତ ଗତ ବର୍ଷ ଶେଷ କରିଥିଲା । ଅନ୍ୟ ଥାନା ଗୁଡିକରେ ମାମଲା ସଂଖ୍ୟା ଠାରୁ ତଦନ୍ତ ଶେଷ ହୋଇଥିବା ସଂଖ୍ୟା ଅଧିକ ରହିଛି ।
ବିଶେଷ କରି ଡିସିପି ଅଫିସରେ ଥିବା କେସ୍ କ୍ଲୋଜର ୟୁନିଟ୍ ତଦନ୍ତ ଶେଷ କରିବାରେ ମୁଖ୍ୟ ଭୂମିକା ନେଇଛି । ତଦନ୍ତକାରୀ ଅଫିସଙ୍କ ଉପରେ ନ୍ୟସ୍ତ ଥିବା ମାମଲା ଗୁଡିକର ସମୀକ୍ଷା କରି ଏହି ୟୁନିଟ୍ ତଦନ୍ତ ଶେଷ କରୁଛି । ଡିସେମ୍ବର ମାସରେ ୯୫୧ଟି ମାମଲା ମଧ୍ୟରୁ ୩୩୦ ମାମଲାର ସମୀକ୍ଷା କରାଯାଇ ତଦନ୍ତ କରିବାରେ ସାହାର୍ଯ୍ୟ କରିଥିଲେ ।