ରାଜଧାନୀ ଦେଇ ବାଲେଶ୍ୱରକୁ ହେଉଛି ଗଞ୍ଜେଇ ଚାଲାଣ,୪୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୩ ଗିରଫ

ଭୁବନେଶ୍ୱର :- ନୂଆପଲ୍ଲୀ ଥାନା କ୍ରାଉନ୍ ହୋଟେଲ୍ ନିକଟରେ ଏକ ଟ୍ୟାକ୍ସିରୁ ଗଞ୍ଜେଇ ଜବତ ହେବା ପରେ ପୁରା ଘଟଣା ପଦାକୁ ଆସିଛି । ଗୁରୁବାର ବିଳମ୍ବିତ ରାତିରେ ଏକ ମାରୁତି ସ୍ୱଫ୍ଟି ଡିଜାୟାର କାରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏସ୍‌ଟିଏଫ ଏବଂ ନୂଆପଲ୍ଲୀ ଥାନା ପୁଲିସ ମିଳିତ ଚଢଉ କରି କାରକୁ ଜବତ କରିଛି । କାର୍‌କୁ ଯାଞ୍ଚ କରାଯିବା ପରେ ସେଥିରୁ ୩ଟି ପ୍ଲାଷ୍ଟିକ୍ ଅଖାରେ ଭର୍ତ୍ତି ଥିବା ୪୦ କେଜି ୬୫୮ଗ୍ରାମର ଗଞ୍ଜେଇକୁ ଜବତ କରାଯାଇଥିଲା । ଏହାସହ ଏହାକୁ ଚାଲାଣ କରୁଥିବା ୩ଅଭିଯୁକ୍ତଙ୍କୁ ଏସ୍‌ଟିଏଫ୍ ଗିରଫ କରି ନୂଆପଲ୍ଲୀ ଥାନା ପୁଲିସକୁ ହସ୍ତାନ୍ତର କରିଛି । ପୁଲିସ ସେମାନଙ୍କ ଏନ୍‌ଡିପିଏସ୍ ଆକ୍ଟ ଲଗାଇ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲା, ନୂଆପଡା ଅଞ୍ଚଳର ତ୍ରଲୋଚନା ମଙ୍ଗରାଜ ମହାପାତ୍ର ଓରଫ ବବୁ(୨୮), ଆଇଆରସି ଭିଲେଜର କେ. ରମେଶ ସେଠି ଓରଫ ଗୋପାଳ(୨୯) ଓ ଭରତପୁର,ସନ୍ତୋଷୀ ନଗରର ସଚିନ୍ ଦିଗାଲ(୨୨) ।
ମିଳିଥିବା ସୂଚନା ଅନୁସାରେ, ଗୁରୁବାର କନ୍ଧମାଳରୁ ଏକ କାରରେ ଗଞ୍ଜେଇ ଭର୍ତ୍ତି କରାଯାଇ ବାଲେଶ୍ୱରକୁ ଯାଉଥିବା ଏସ୍‌ଟିଏଫ ଖବର ପାଇଥିଲା । ତୁରନ୍ତ ଏହି ଖବର ଆଧାରରେ ନୂଆପଲ୍ଲୀ ଥାନା ପୁଲିସର ସହଯୋଗରେ ହୋଟେଲ କ୍ରାଉନ୍ ନିକଟରେ ଜଗି ରହିଥିଲେ ଏସ୍‌ଟିଏଫ ଅଧିକାରୀ । କାରଟି କ୍ରାଉନ୍ ହୋଟେଲ ନିକଟ ଦେଇ ଯିବା ସମୟରେ ତାକୁ ପୁଲିସ ଅଟକାଇଥିଲା । ପୁଲିସକୁ ଦେଖି କାର ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପିସିଆର ଭ୍ୟାନ୍ ଏହାର ଚାରିପଟେ ଘେରି ଯାଇଥିଲେ । କାରକୁ ଯାଞ୍ଚ କରିବା ପରେ ସେଥିରୁ ଗଞ୍ଜେଇ ଜବତ କରାଯାଇଥିଲା । ଏହି ଗଞ୍ଜେଇ ଚାଲାଣ ରାକେଟ୍‌ରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ଏସ୍‌ଟିଏଫ ସୂଚନା ପାଇଛି ।

Leave a Reply

Your email address will not be published. Required fields are marked *