ଦୁଇ ଡୋଜ୍ ଟିକା ନେବାପରେ ବି ସଂକ୍ରମଣକୁ ନେଇ ସରକାର ଚିନ୍ତାରେ, ଗଢ଼ିଲେ କମିଟି

ଭୁବନେଶ୍ୱର:-ସାମୁହିକ କୋଭିଡ୍ ଟିକାକରଣ ମାଧ୍ୟମରେ ରାଜ୍ୟରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଓ ତୃତୀୟ ଲହରକୁ ପ୍ରଭାବହୀନ କରିବା ନିମନ୍ତେ ଲକ୍ଷ୍ୟ ରଖିଥିବା ସରକାର ଦୁଇ ଡୋଜ୍ ଟିକା ନେବାପରେ ବି ହେଉଥିବା ସଂକ୍ରମଣକୁ ନେଇ ଚିନ୍ତିତ ଅଛନ୍ତି। ମେ’ ୨୮ତାରିଖରେ କୋଭିଡ୍ ଟିକା ସଫଳ ହେଉଛି କି ନାହିଁ ତାହା ଅନୁଧ୍ୟାନ କରିବା ପାଇଁ ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆରଏମଆରସି)କୁ ଅନୁରୋଧ କରିଥିବା ରାଜ୍ୟ ସରକାର ଆଜି ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସ(ଆଇଏଲଏସ) ନିର୍ଦ୍ଦେଶକ ଡାକ୍ତର ଅଜୟ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଅନୁରୂପ କମିଟି ଗଠନ କରିଛନ୍ତି

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ପରିଡ଼ାଙ୍କ ଅଧ୍ୟକ୍ଷତାରେ ୮ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି। ଏହି କମିଟିର ସଦସ୍ୟ ଆବାହକ ଭାବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ରହିଥିବାବେଳେ ଆରଏମଆରସି ନିର୍ଦ୍ଦେଶକ ଡଃ ସଂଘମିତ୍ରା ପତି, ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡାକ୍ତର କୌସିକ ମିଶ୍ର, କଟକସ୍ଥିତ ଏସସିବି ମେଡିକାଲର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ନିରୁପମା ଚଇନି, ଏସସିବିର ପଲ୍ୟୁମିନାରୀ ମେଡିସିନ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଏମଆର ପଟ୍ଟନାୟକଙ୍କ ସମେତ ସମ୍ ହସ୍ପିଟାଲର ରୁମାଟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି। ରାଜ୍ୟରେ ଉଭୟ ଡୋଜ୍ ଟିକା ନେବାପରେ ବି କରୋନା ସଂକ୍ରମଣ ହେଉଥିବାରୁ ଭବିଷ୍ୟତର କୋଭିଡ୍ ଲହରର ମୁକାବିଲା ପାଇଁ ଏହି ଟେକନିକାଲ କମିଟି ମହାମାରୀଜନିତ, ଭୂତାଣୁଜନିତ, ରୋଗ ପ୍ରତିରୋଧଜନିତ, ଜିନଗତ ଓ ରୋଗ ସଂକ୍ରାନ୍ତ ଦିଗକୁ ଅନୁଧ୍ୟାନ କରିବ। ଟିକା ନେବାପରେ ସଂକ୍ରମିତ ହେବାର କାରଣକୁ ମଧ୍ୟ ଏହି କମିଟି ଅନୁଧ୍ୟାନ କରିବେ। ଏହି ଟେକନିକାଲ କମିଟି ଭବିଷ୍ୟତରେ କ’ଣ କରାଯିବାର ଆବଶ୍ୟକତା ରହିଛି ସେ ନେଇ ସରକାରଙ୍କୁ ମାର୍ଗଦର୍ଶନ କରିବେ । ଯାହାଫଳରେ କୋଭିଡ-୧୯ର ଭବିଷ୍ୟତ ଲହରର ମୁକାବିଲା ପାଇଁ ଏବେଠୁ ପ୍ରସ୍ତୁତି ଓ ରଣନୀତି ପ୍ରସ୍ତୁତ କରାଯାଇପାରିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *