ପୂର୍ବ ପରୀକ୍ଷା ଅନୁସାରେ ଦ୍ୱାଦଶ ରେଜଲ୍ଟ, ୩୧ ସୁଦ୍ଧା ପ୍ରକାଶ ପାଇବ ଫଳ

ନୂଆଦିଲ୍ଲୀ: ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ  । ୩୦-୩୦-୪୦ ଫର୍ମୁଲାରେ ରେଜଲ୍ଟ ପ୍ରକାଶ କରିବ ସିବିଏସଇ  । ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି  । ମାର୍କକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଦେଇପାରିବେ  । ବୋର୍ଡ ପକ୍ଷରୁ ଅନଲାଇନ ରେଜିଷ୍ଟ୍ରସନ ଆରମ୍ଭ ହେବ । ସେହିପରି ଜୁଲାଇ୨୦ ସୁଦ୍ଧା ଦଶମ ଶ୍ରେଣୀର ପରୀକ୍ଷାଫଳ ବାହାରିବ । ଅନ୍ୟପଟେ ରାଜ୍ୟ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାଫଳ ପ୍ରକାଶ ନେଇ ଚୁଡାନ୍ତ ହୋଇଛି ନିଷ୍ପତ୍ତି  । ବିଶେଷଜ୍ଞ କମିଟି ସହ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ବୈଠକ ଅନୁଷ୍ଠିତ ହୋଇଛି  ।

 

ଦଶମ ଏକାଦଶ ଓ ଦ୍ବାଦଶ ପ୍ରିବୋର୍ଡ ମାର୍କ ଆଧାରେ ମୂଲ୍ୟାୟନ  । ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସିବିଏସଇ କର୍ତ୍ତୃପକ୍ଷ  । ଓଡ଼ିଶାରେ ଯୁକ୍ତ ଦୁଇ ପରୀକ୍ଷା ନେଇ ମାନସ ମନ୍ଥନ  । ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ  । ମାଟ୍ରିକ ରେଜଲ୍ଟ ହେବ ସର୍ବୋତ୍ତମ ଆଧାର  । ଅପେକ୍ଷାର ଅନ୍ତ, ଚୁଡ଼ାନ୍ତ ହେଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ପ୍ରକ୍ରିୟା  । ମାଟ୍ରିକର ସର୍ବୋତ୍ତମ ୩ଟି ବିଷୟର ମାର୍କ ସମେତ  ଏକାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାର ୩୦ ପ୍ରତିଶତ ମାର୍କ ଏବଂ ଦ୍ବାଦଶ ପ୍ରିବୋର୍ଡ ପରୀକ୍ଷାର ୪୦ ପ୍ରତିଶତ ମାର୍କକୁ ନେଇ ମୂଲ୍ୟାୟନ କରିବ ସିବିଏସଇ  । ପ୍ରାକ୍ଟିକାଲ ଶହେ ମାର୍କ ପାଇଁ ବିଦ୍ୟାଳୟ ଗୁଡ଼ିକ ଦାଖଲ କରିଥିବା ମାର୍କ ଆଧାରରେ ମୂଲ୍ୟାୟନ ହେବ । ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ କରିବା ପାଇଁ ସିବିଏସଇ ଆଶା ପ୍ରକାଶ କରିଛି  । ସିବିଏସଇର ଏଭଳି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍ବାଗତ କରିଛନ୍ତି  ।  ସିବିଏସଇର ପ୍ରକ୍ରିୟାରେ ସନ୍ତୁଷ୍ଟ ଥିବା ସହ  ସନ୍ତୋଷଜନକ ମାର୍କ ନମିଳିଲେ ପରୀକ୍ଷା ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି ଛାତ୍ରଛାତ୍ରୀ  ।

ସେପଟେ ଯୁକ୍ତ ଦୁଇ ପରୀକ୍ଷା ନେଇ ଚୁଡ଼ାନ୍ତ ରୂପରେଖ ପ୍ରସ୍ତୁତ କରୁଛି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ  । ରାଜ୍ୟ ସରକାର ଗଠନ କରିଥିବା ବିଶେଷଜ୍ଞ କମିଟି ଖୁବଶୀଘ୍ର ତାର ରିପୋର୍ଟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ପ୍ରଦାନ କରିବ  । ଏନେଇ ଆଜି ଶେଷଥର ପାଇଁ ବିଶେଷଜ୍ଞ କମିଟିର କିଛି ସଦସ୍ୟଙ୍କ ସହିତ ପରୀକ୍ଷା ନିୟନ୍ତ୍ରକ ଏକ ବୈଠକ କରିଛନ୍ତି  । ବୈଠକରେ ମୂଲ୍ୟାୟନର ଚୁଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି  । ମୂଲ୍ୟାୟନ ପାଇଁ ସ୍ବତନ୍ତ୍ର ପାରାମିଟର କରାଯାଇଛି   । ମାଟ୍ରିକ ଫଳାଫଳକୁ ସର୍ବେତ୍ତମ ଆଧାର ଭାବେ ବିବେଚନା କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି  । ବିଶେଷଜ୍ଞ ରିପୋର୍ଟ ପାଇବା ପରେ ପରିଷଦ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ  । ରାଜ୍ୟ ସରକାରଙ୍କ ମୋହର ପରେ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି  ।

Leave a Reply

Your email address will not be published. Required fields are marked *