୧୧ ଜିଲ୍ଲାରୁ କରୋନା ନେଲା ୨୮ ଜୀବନ
ଭୁବନେଶ୍ୱର:-୨୨, ୨୨, ୨୧, ୨୫, ୨୭, ୨୬। ଏହା ହେଉଛି ଗତ ୬ ଦିନରେ ରାଜ୍ୟରେ କରୋନାରେ ଆଖି ବୁଜିଥିବା ଲୋକଙ୍କ ଦୈନିକ ରିପୋର୍ଟର ପରିସଂଖ୍ୟାନ। ଆଉ ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ଆହୁରି ୨୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୮୪କୁ ବୃଦ୍ଧି ପାଇଛି।
୧୧ଟି ଜିଲ୍ଲାରୁ ଏହି ୨୮ ଜଣଙ୍କ ମୃତ୍ୟୁ ଖବର ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣ ହେଉଛନ୍ତି ମହିଳା। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଲେଖାଏଁଙ୍କ ଜୀବନ ଯାଇଥିବା ବେଳେ ଅନୁଗୋଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା, ପୁରୀ ଓ ନବରଙ୍ଗପୁରରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ଗଜପତି, ଗଞ୍ଜାମ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି।ଆଉ ୫ ଜଣଙ୍କ ମୃତ୍ୟୁ ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩୫କୁ ବୃଦ୍ଧି ପାଇଛି, ଯାହା ରାଜ୍ୟରେ ସର୍ବାଧିକ। ଅନୁଗୋଳ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭୨କୁ ବୃଦ୍ଧି ପାଇଥିବା ବେଳେ ଗଜପତିରେ ୪୭, ଗଞ୍ଜାମରେ ୨୭୩, କଳାହାଣ୍ଡିରେ ୮୬, କେନ୍ଦ୍ରାପଡ଼ାରେ ୩୮, ନବରଙ୍ଗପୁରରେ ୧୯, ନୂଆପଡ଼ାରେ ୫୨, ପୁରୀରେ ୧୫୧, ରାୟଗଡ଼ାରେ ୯୭ ଓ ସୁନ୍ଦରଗଡ଼ରେ ୨୪୨କୁ ବୃଦ୍ଧି ପାଇଛି।