ସାଇବର ଅପରାଧୀ ବଦଳାଉଛନ୍ତି ଠକେଇର ତରିକା, ପୂର୍ବ ଲକ୍‌ଡାଉନ ଅପେକ୍ଷା ଠକେଇ ମାମଲ ବଢୁଛି

ଭୁବନେଶ୍ୱର :-ସାଇବର ଅପରାଧୀ ନିଜର ଠକେଇର ତରିକା ବଦଳାଇଛନ୍ତି । କାରଣ ଗତ ବର୍ଷ ଲକ୍‌ଡାଉନ୍‌ରେ ସାଇବର ଠକ ଅନ୍‌ଲାଇନ୍‌ରେ ମଦ କାରବାର, ଅନ୍‌ଲାଇନ୍‌ରେ ଖାଦ୍ୟ ଅଫ୍‌ର, କେୱାଇସି ଅପ୍‌ଟେଡ୍ ଆଦି ଆଳରେ ଲୋକଙ୍କୁ ଚୂନ ଲଗାଉଥିଲେ । କିନ୍ତୁ କୋଭିଡ଼ର ଦ୍ୱିତୀୟ ଲହରିରେ ସାଇବର ଅପରାଧୀ ଠକେଇର ନୂଆ ତରିକା ଆପଣାଇଛନ୍ତି । ସେମାନେ କୋଭିଡ଼ ଟୀକା ରେଜିଷ୍ଟେସନ ଆଳରେ ଠକୁଛନ୍ତି । କୋଭିଡ଼ ଟୀକା ପାଇଁ ରେଜିଷ୍ଟେସନ ହେଉଥିବା ଆପ୍ ଭଳି ଅବିକଳ ନକଲି ଆପ୍ ଖୋଲି ଲୋକଙ୍କୁ ଠକୁଛନ୍ତି । କେବଳ ଟିକା ନୁହେଁ ଅନ୍‌ଲାଇନ୍‌ରେ ଅକ୍ସିଜେନ୍ ଯୋଗାଇବା ଆଳରେ ଠକେଇ ବଢୁଛି । କାରଣ କୋଭିଡ଼ର ଦ୍ୱିତୀୟ ଲହରିରେ ବଞ୍ଚିବା ପାଇଁ ଅକ୍ସିଜେନ ମୁଖ୍ୟ ମାଧ୍ୟମ ସାଜିଛି । କିନ୍ତୁ ଅକ୍ସିଜେନର ଅଭାବ ଦେଖା ଦେଉଥିବାରୁ ସାଇବର ଠକ ଏହାକୁ ଏକ ସୁଯୋଗ ଭାବି ନେଇଛନ୍ତି । ସେମାନେ ଅନ୍‌ଲାଇନ୍‌ରେ ଅକ୍ସିଜେନ୍ ଯୋଗାଇବାକୁ କହି ଲୋକଙ୍କୁ ଅଗ୍ରିମ ଆକାରରେ ଟଙ୍କା ମାଗୁଛନ୍ତି । ଟଙ୍କା ପଠାଇବା ପରେ ସାଇବର ଠକ ଫୋନ୍ ବନ୍ଦ କରି ଦେଉଛନ୍ତି । କେବଳ ଅକ୍ସିଜେନ୍ ନୁହେଁ ଟେଲି ମେଡ଼ିସିନ୍ ଆଳରେ ଠକେଇ ହେଉଛି । କୋଭିଡ଼ ସମୟରେ ଲୋକେ ବିଭିନ୍ନ ରୋଗ ପାଇଁ ହସ୍ପିଟାଲ ଯାଉନାହାନ୍ତି । ତେଣୁ ସେମାନେ ଘରେ ରହି ଡାକ୍ତରଙ୍କ ସହ କଥା ହୋଇ ଚିକିତ୍ସା କରୁଛନ୍ତି । କିନ୍ତୁ କିଛି ଠକ ଅନ୍‌ଲାଇନ୍‌ରେ ଟେଲି ମେଡିସିନ୍ ନାମରେ ଏକାଧିକ ଫେକ୍ ନମ୍ବର ଖୋଲି ବସିଛନ୍ତି । ଲୋକେ ଗୁଗଲକୁ ଯାଇ ଏହାକୁ ସର୍ଚ୍ଚ କରିବା ପରେ ଠକଙ୍କ ଫୋନ୍ ନମ୍ବରକୁ କଲ୍ କରୁଛନ୍ତି । ଠକ ସେମାଙ୍କୁ ଚିିକତ୍ସା ପରାମର୍ଶ ଦେବା ପୂର୍ବରୁ ଅନ୍‌ଲାଇନ୍‌ରେ ଟଙ୍କା ପଠାଇବାକୁ କହୁଛନ୍ତି । ଦେଖିବାକୁ ଗଲେ ପ୍ରଥମ ଲକ୍‌ଡାଉନ୍ ଅପେକ୍ଷା ଦ୍ୱିତୀୟ ଲକ୍‌ଡାଉନର ୧୫ ଦିନ ଭିତରେ ବଢିଛି ସାଇବର ଅପରାଧ । ଗତ ଲକ୍‌ଡାଉନ୍‌ର ୧୫ ଦିନରେ ରାଜଧାନୀରେ ୨୫ଟି ସାଇବର ଠକେଇ ହୋଇଥିବା ବେଳେ ଦ୍ୱିତୀୟ ଲକ୍‌ଡାଉନର ୧୫ ଦିନରେ ୩୦ଟି ସାଇବର ଠକେଇ ହେଲାଣି । ବିଶେଷ କରି କୋଭିଡ଼ ଟୀକା ଏବଂ ଅକ୍ସିଜେନ୍ ଆଳରେ ଠକେଇ ହେଉଛି । ସବୁଠୁ ବଡ଼ କଥା ହେଲା ଠକେଇର ଶିକାର ହୋଇଥିବା ବ୍ୟକ୍ତି କମିସନରେଟ ପୁଲିସ ବିଭିନ୍ନ ଥାନାରେ ଅଭିଯୋଗ କଲେ ମଧ୍ୟ ତାଙ୍କ ଅଭିଯୋଗକୁ ଗ୍ରହଣ କରାଯାଉ ନାହିଁ । ବରଂହେଲ୍ପ ଡେସ୍କକୁ ଯାଇ ଅଭିଯୋଗ କରିବାକୁ କହି ପଠାଇ ଦେଉଛନ୍ତି ।
ସାଇବର ଅପରାଧୀ ଶେଷରେ ପୁଲିସକୁ ଠକେଇ ପାଇଁ ମୋହରା କଲେଣି । ସେମାନେ ପୁଲିସ ନାମରେ ଫେସ୍‌ବୁକ୍‌ରେ ଫେକ୍ ଆକାଉଣ୍ଟ ଖୋଲୁଛନ୍ତି । ଉକ୍ତ ଆକାଉଣ୍ଟରୁ ପୁଲିସ ବାବୁଙ୍କ ସମ୍ପର୍କୀୟଙ୍କୁ ମେସେଜ୍ କରି ଟଙ୍କା ମାଗୁଛନ୍ତି । ମେଡିକାଲ ସମସ୍ୟାରେ ପଡ଼ିଥିବା କହି ୧୦ରୁ ୧୫ ହଜାର ଟଙ୍କା ମାଗୁଛନ୍ତି । ଅନେକ ଠକଙ୍କ ଚାଲକୁ ବୁଝି ନପାରି ସତ ବୋଲି ଭାବି ଟଙ୍କା ପଠାଇ ଠକେଇର ଶିକାର ହେଉଛନ୍ତି । ଏହିଭଳି ପୁଣି ଜଣେ ପୁଲିସକୁ ମୋହରା କରିଛନ୍ତି ସାଇବର ଠକ । ଏହିଭଳି ପୁଲିସ ଅଧିକାର ଅଶୋକ କୁମାର ପଟ୍ଟନାୟକ ନାମରେ ସାଇବର ଅପରାଧୀ ଫେକ୍ ଆକାଉଣ୍ଟ୍ ଖୋଲି ଅନ୍ୟକୁ ଟଙ୍କା ମାଗୁଥିଲେ । ଶେଷରେ ପୁଲିସ ଅଧିକାରୀ ଅଶୋକ ଜାଣିବା ପରେ ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟରେ ଟଙ୍କା ନଦେବାକୁ ସ୍ପଷ୍ଟ କରିଥିଲେ । ପୂର୍ବରୁ ମଧ୍ୟ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ, ପୂର୍ବତନ ଡିସିପି ଅନୁପ ସାହୁ, ରେଲୱେ ଏହିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ନାମରେ ସାଇବର ଠକ ଆକାଉଣ୍ଟ ଖୋଲି ଟଙ୍କା ମାଗୁଥିଲା । ଏବେ କ୍ରାଇମ୍‌ବ୍ରାଞ୍ଚ ନାମରେ ଅନେକ କଲେଜ ପିଲାଙ୍କୁ ସାଇବର ଠକ ଟଙ୍କା ମାଗୁଛି । ତେଣୁ ଏନେଇ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ମଧ୍ୟ ଲୋକଙ୍କୁ ସତ୍ତର୍କ କରାଯାଇଛି ।

Leave a Reply

Your email address will not be published. Required fields are marked *