ଆର ପାରିରେ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ

ଭୁବନେଶ୍ୱର:– ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଆଉ ନାହାନ୍ତି । ୩ ଦିନ ତଳେ ନିଜର ୯୯ତମ ଜନ୍ମଦିବସ ପାଳନ କରିଥିବା ଭବାନୀଚରଣ ପଟ୍ଟନାୟକ ଆଜି କ୍ୟାପିଟାଲ ହସପିଟାଲରେ ଆଖି ବୁଜିଛନ୍ତି । ଦୁଇଦିନ ହେଲା ସେ ସାମାନ୍ୟ ଅସୁସ୍ଥ ଥିଲେ । ଆଜି ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଟିକିଏ ଅବନତି ଘଟିବାରୁ ତାଙ୍କୁ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି ।ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ମଇ ୧୧ ତାରିଖରେ ପୁରୀ ଜିଲାର ନିମାପଡାଠାରେ ଜନ୍ମଗ୍ରହଣ କରିଥିଲେ। ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଚିତ ଥିବା ଶ୍ରୀ ପଟ୍ଟନାୟକ ମହାତ୍ମାଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗଦାନ କରିଥିଲେ। ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ଜଣେ ଅନ୍ତରଙ୍ଗ ସହଯୋଗୀ ଭାବେ ସେ କାର୍ଯ୍ୟ କରିଛନ୍ତି ଏବଂ ୧୯୬୧, ୧୯୬୬ ଏବଂ ୧୯୭୮ ମସିହାରେ ୩ ଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । 

କିଛିଦିନ ତଳେ ସେ ତାଙ୍କର ମୃତ୍ୟୁ ପରେ ଶରୀର ଦାନ କରିବାକୁ ଇଚ୍ଛାବ୍ୟକ୍ତ କରିଥିଲେ । ଗତ ସୋମବାର ତାଙ୍କର ୯୯ ତମ ଜନ୍ମ ଦିବସ ଅବସରରେ  ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ  ସମୀର ରଂଜନ ଦାଶ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା  ଜଣାଇବା ଯିବା ପରିପ୍ରେକ୍ଷୀରେ ସେ ଏଥିନେଇ ଇଚ୍ଛାପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *