ରାଜରାସ୍ତାରେ ଜଗିଛି ପୁଲିସ, ଘରେ ପଶିଲାଣି ଚୋର, ରାଜଧାନୀରେ ଗତ ୧୦ ଦିନରେ ୪୦ ଚୋରି

ଭୁବନେଶ୍ୱର:- ପୁଲିସ ରାଜ ରାସ୍ତାରେ ନାକା କରି ଜଗିଛି । କିନ୍ତୁ ସେପଟେ ବିଭିନ୍ନ ଥାନା ଅଞ୍ଚଳରୁ ଲୋକଙ୍କ ଘରେ ପଶି ଚୋର କଳାକନା ବୁଲାଇଲେଣି । ଯେଉଁ ଘରେ କେହି ରହୁନାହାନ୍ତି ଉକ୍ତ ଘରୁ ସେମାନେ ଆଗେ ତାଲା ତାଡ଼ି ସର୍ବସ ଲୁଟି ନେଉଛନ୍ତି । ଏହିଭଳି ଗତ 10 ଦିନରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ 4୦ରୁ ଉର୍ଦ୍ଧ୍ୱ ଚୋରି ହେଲାଣି ।
ସ୍ୱାର୍ଟସିଟି ଠାରୁ ଜଙ୍ଗସନ୍ ବସାଇବା ପାଇଁ ଏକ ଘରୋଇ ସଂସ୍ଥା ରାଜଧାନୀ ବିଭିନ୍ନ ସ୍ଥାନରେ ଜଙ୍ଗସନ୍ ବକ୍ସ ବସାଇ ଏହାର ତଦାରଖ କରୁଛି । ଏହି ବକ୍ସ ସାହାର୍ଯ୍ୟରେ ସହରରେ ଲାଗିଥିବା ସିସିଟିଭି କନେକ୍‌ସନ,ପ୍ରୋଜେକ୍ଟ, ୱାଇଫାଇ ଆଦି ଅନେକ ତାର ସଂଯୋଗ ହୋଇଥାଏ । କିନ୍ତୁ ଗତ କିଛି ଦିନ ହେବ ଉକ୍ତ ବକ୍ସରୁ ବ୍ୟାଟେରୀ ଏବଂ ମେସିନ୍ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି । ସହିଦନଗର ଥାନା ଅଞ୍ଚଳରେ ବସିଥିବା ବକ୍ସରୁ ୨ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ବେଳେ କ୍ୟାପିଟାଲ ଥାନା ଅଞ୍ଚଳରେ ମଧ୍ୟ ୨ଲକ୍ଷ ଟଙ୍କାର ଇଲେଟ୍ରୋନିକ ସାମଗ୍ରୀ ଜଙ୍ଗସନ୍ ବକ୍ସ ଭିତରୁ ଚୋରି ହୋଇଛି । ଏନେଇ ଟେଣ୍ଡର ନେଇଥିବା କମ୍ପାନୀର କର୍ତ୍ତୃପକ୍ଷ ସୁନିଲ କୁମାର ସ୍ୱାଇଁ ସହିନଗର ଥାନା ଏବଂ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ଗତ ୭ ତାରିଖରେ ନୂୟାପଲ୍ଲୀ ଥାନା କ୍ୱାର୍ଟର୍ସ ନଂ-ଏଫ୮୫ରେ ରହୁଥିବା ଜଳେନ୍ଦ୍ର କୁମାର ପରିବାକାଙ୍କ ଘର ଆଗରୁ ସାଇକଲ ଚୋରି ହୋଇଛି । କେହି ଦୁୃର୍ବୃତ୍ତ ଲକ୍‌ଡାଉନ୍ ସମୟରେ ଘର ଗେଟ୍ ଖୋଲି ଘର ଭିତରେ ପଶି ସାଇକଲ ଚୋରି କରି ନେଇ ଚମ୍ପଟ ମାରଛନ୍ତି । ଲିଙ୍ଗରାଜ ଥାନା କେଦାରଗୌରୀ ରୋଡ଼ରେ ରହୁଥିବା ଉଦୟ ଭାବୁ ଦାଶଙ୍କ ଘରେ ଗତ ୧୧ତାରିଖ ରାତରେ ଚୋର ପଶିଥିଲେ । ଚୋର ତାଙ୍କ ତଳ ଫ୍ଲୋରରେ ଥିବା ଘରର ଏକ ପାଣି ପମ୍ପ ଏବଂ ଅନ୍ୟାନ ସାମଗ୍ରୀ ଚୋରି କରି ଫେରାର ହୋଇଯାଇଛନ୍ତି । ସେହିପରି ମୈତ୍ରୀବିହାରରେ ରହୁଥିବା ଯୋଗେନ୍ଦ୍ର ମୁର୍ମୁଙ୍କ ଘରର ଝରକା ପଟେ ଗତ ୧୧ ତାରିଖ ରାତରେ ଚୋର ହାତ ଗଳାଇ ଏକ ଲାପ୍‌ଟପ ଏବଂ ୨ଟି ମୋବାଇଲ୍ ଫୋନ୍ ଚୋରି କରି ନେଇଛନ୍ତି । ଗତ ୧୦ ତାରିଖ ଦିନ ସୁଦାମ ନାୟକ ସାଇକେଲରୁ କ୍ୟାପିଟାଲ ହସ୍ପିଟାଲ ଦେଇ ଘରକୁ ଫେରୁଥିଲେ । ଏହି ସମୟରେ ଜଣେ ଯୁବକ ତାଙ୍କୁ ପଛରୁ ଧକ୍କା ଦେଇଥିଲେ । ସୁଦାମ ତଳେ ପଡ଼ିଯିବା ପରେ ତାଙ୍କୁ ଛୁରୀ ଦେଖାଇ ତାଙ୍କ ଠାରୁ ୧୫ଶହ ଟଙ୍କା ଲୁଟି ନେଇଥିଲେ । ସେହିଭଳି ବଡ଼ଗଡ଼ କଳିଙ୍ଗ ବସ୍ତିରେ ରହୁଥିବା ମନୋଜ ସାହୁଙ୍କ ଘରୁ ଚୋରି ହୋଇଛି । ମନୋଜ କୌଣସି କାମରେ ଗତ ୫ ତାରିଖରୁ ଗାଁକୁ ପଳାଇଥିଲେ । ଏହି ସମୟରେ ଚୋର ତାଙ୍କ ଘର କବାଟ ତାର ସିଲେଇ ମେସିନ୍‌, ୩ଟି କୁମ୍ପି ଭାଙ୍ଗି ୨ହଜାର ଟଙ୍କା ଏବଂ ଅନ୍ୟାନ ସାମଗ୍ରୀ ଚୋରି କରି ନେଇଛନ୍ତି । ମନୋଜ ଘରକୁ ଫେରିବା ପରେ ଚୋରି ହୋଇଥିବା ଜାଣି ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ବଡ଼ଗଡ଼ ଥାନା ବିଜେବି ନଗର ପ୍ଲଟ ନଂ-ବିଜି/୧୯ରେ ଥିବା ପ୍ରଭାତ କୁମାର ଖୁଣ୍ଟିଆଙ୍କ ପାନ ଦୋକାନରେ ୫୦ ହଜାର ଟଙ୍କା ସାମଗ୍ରୀ ଚୋରି ହୋଇଛି । ଗତ ମଙ୍ଗଳବାର ରାତିରେ ଚୋର ତାଙ୍କ ଦୋକାନ ତାଲା ଭାଙ୍ଗି ଦୋକାନରୁ ଦାମି ସିଗାରେଟ,ଗୁଟୁଖା,ବିସ୍କୁଟ ଆଦି ଅନେକ ସାମଗ୍ରୀ ସଂ ନଗତ ୫ହଜାର ଟଙ୍କା ଚୋରି କରି ଚମ୍ପଟ ମାରିଛନ୍ତି । ଗତ ୧୦ ତାରିଖ ରାତିରେ ଏୟାରପୋର୍ଟ ଥାନା ପୋଖରୀଫୁଟ ପ୍ଳଟନଂ-୫୩୮ରେ ରହୁଥିବା ପ୍ରଦୀପ କୁମାର ସାହୁ୍‌ଙ୍କ ଘରୁ ଚୋରି ହୋଇଛି । ସେ ବେଲଗୁଣ୍ଡା ସ୍ଥିତ ଗ୍ରାମକୁ ଯାଇଥିବା ବେଳେ ତାଙ୍କ ଘରୁ ସୁନା ଗହଣା ସହ ଅନ୍ୟାନ ସାମଗ୍ରୀ ଚୋରି ହୋଇଛି । ଚୋରି ପଛରେ ତାଙ୍କ ପଡୋଶୀଙ୍କ ହାତ ରହିଥିବା ସେ ଅଭିଯୋଗ କରିଛନ୍ତି । ସେହିଭଳି ହାଇ ସିକ୍ୟୁରିଟ୍ ଜୋନ୍ କୁହାଯାଉଥିବା ବିଧାୟକ କଲୋନୀରୁ ଜଣେ ବିଧାୟକଙ୍କ ଘରୁ ଚୋର କଳାକନା ବୁଲାଇଛନ୍ତି । ବିଧାୟକ ନିଜ ନିର୍ବାଚନୀ ମଣ୍ଡଳୀରେ ଥିବା ବେଳେ କେହି ଚୋର ତାଙ୍କ ଘର ତାଲା ତାଡ଼ି କମ୍ପ୍ୟୁଟର, ଚେୟାର, ଭଳି ଅନେକ ସାମଗ୍ରୀ ଚୋରି କରି ନେଇଛନ୍ତି ।
ତେଣୁ ଦେଖିବାକୁ ଗଲେ ଗତ କିଛି ଦିନ ହେବ ରାଜଧାନୀରେ ଚୋର ଉତ୍ପାତ କଲେଣି । କ୍ୟାପିଟାଲ ଥାନା ଅଞ୍ଚଳରେ ୮ଟି ଚୋରି ହୋଇଥିବା ବେଳେ ଖାରବେଳେନଗର ଥାନା ଅଞ୍ଚଳରେ ୪, ସହିଦନଗର ଥାନା ଅଞ୍ଚଳରେ ୩, ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଗୋଟିଏ, ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଗୋଟିଏ ଚୋରି ହୋଇଛି । ନୂୟାପଲ୍ଲୀ ଥାନା ଅଞ୍ଚଳରେ ୪ଟି ଚୋରି ହୋଇଥିବା ବେଳେ ଖଣ୍ଡଗିରି ଥାନା ଅଞ୍ଚଳରେ ୫ଟି,ଏୟାରପୋର୍ଟ ଥାନା ଅଞ୍ଚଳରେ ୨ଟି ଚୋରି ହୋଇଥିବା ବେଳେ ଏୟାରଫିଲ୍ଡ ଥାନା ୨ଟି ଚୋରି ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *