ପୁଅ ହେବ ତ ଏମିତି, ମାଙ୍କ ସେବା ପାଇଁ ଗ୍ରହଣ କଲେନି କଲେକ୍ଟର ପଦ

ଜବଲପୁର :-ମାର ମୂଲ କିଏ ଦେଇ ପାରିବ। କେଉଁଠି ଧନ ସଂପତ୍ତିକୁ କେନ୍ଦ୍ର କରି ପୁଅ-ଝିଅ ମା-ବାପାଙ୍କୁ ପର କରି ଦେଉଥିବା ବେଳେ ଆଉ କେଉଁଠି ନିର୍ଯ୍ୟାତନା ଦେବା ସହ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି। ଆପଣ ଏମିତି ଅନେକ ଘଟଣା ଆପଣଙ୍କ ଆଖପାଖରେ ମଧ୍ୟ ଦେଖିଥିବେ। ଅପରପକ୍ଷେ ଏମିତି ବି ସନ୍ତାନ ଅଛନ୍ତି ଯିଏ ବାପା-ମାଙ୍କ ସେବା ପାଇଁ ସବୁ କିଛି  ଜଳାଞ୍ଜଳି ଦେଇଥାନ୍ତି। ଏମିତି ଜଣେ ପୁଅର କାହାଣୀ ଯିଏ ସେବା ପାଇଁ ନିଜ ସ୍ଵପ୍ନକୁ ବଳିଦାନ ଦେଇଛନ୍ତି। ଏହି ଘଟଣା ମଧ୍ୟ ପ୍ରଦେଶର ଜବଲପୁରର।

ପୁଅ ଅନୁପ ସିଂହ ହେଉଛନ୍ତି ଆଇଏଏସ ଅଧିକାରୀ। ସେ ମାଙ୍କ ସେବା ପାଇଁ ଜିଲ୍ଲାପାଳ ପଦ ନେବାକୁ ମନା କରି ଦେଇଛନ୍ତି। ରାଜ୍ୟ ସରକାର ତାଙ୍କୁ ଦମୋହ ଜିଲ୍ଲାପାଳ ପଦ ସମ୍ଭାଳିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସେ ମାଙ୍କ ସେବା କରିବାକୁ ଉକ୍ତ ପଦ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଫଳରେ ପ୍ରଶାସନକୁ ନିଜ ନିଷ୍ପତ୍ତି ବଦଳାଇବାକୁ ପଡିଛି।

୨୦୧୩ ବ୍ୟାଚ୍‌ର ଆଇଏଏସ ଅଧିକାରୀ ଅନୁପ କୁମାର ସିଂହଙ୍କୁ ଗତ ଦିନରେ ଦମୋହ ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଥିଲା। ପଦ ସମ୍ଭାଳିବାକୁ ଆଦେଶ ମଧ୍ୟ ଆସିଥିଲା। ହେଲେ ଅନୁପ ସିଂହ ମାଙ୍କ ସ୍ଵାସ୍ଥ୍ୟବସ୍ଥା ଠିକ୍ ନଥିବା ଏବଂ ସେ ତାଙ୍କ ସେବା କରିବାକୁ ଚାହୁଁଥିବା କହିଥିଲେ। ଏହି କାରଣରୁ ସେ ବର୍ତ୍ତମାନ ଜିଲ୍ଲାପାଳ ପଦ ଗ୍ରହଣ କରି ନାହାନ୍ତି।

ସେ ଲିଖିତ ମନା କରିବା ପରେ ସରକାର ମେ ୮ରୁ ଏହି ଆଦେଶକୁ ବାତିଲ୍ କରିଥିଲେ। ଅନୁପ  କୁମାର ସିଂହଙ୍କ ବଦଳରେ ଇନ୍ଦୋର ନଗର ନିଗମର ଅତିରିକ୍ତ କମିଶନର ଏସ କୃଷ୍ଣ ଚୈତନ୍ୟଙ୍କୁ ଦମୋହର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।

ସୂଚନାଯୋଗ୍ୟ, ଅନୁପ ସିଂହ ବର୍ତ୍ତମାନ ଜବଲପୁରରେ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ଵରେ ଅଛନ୍ତି। ଏହା ପୂର୍ବରୁ ସେ ଜବଲପୁର ନଗର ନିଗମର କମିଶନର ଥିଲେ। ଅନୁପ ସିଂହ ମୂଳତଃ ଉତ୍ତର ପ୍ରଦେଶର କାନପୁର ଜିଲ୍ଲା ନିବାସୀ। ତାଙ୍କ ଶାନ୍ତ ସ୍ଵଭାବ, ମିଷ୍ଟଭାଷୀ, କର୍ତ୍ତବ୍ୟନିଷ୍ଠା, ସଚ୍ଚୋଟତା ପାଇଁ ସେ ପ୍ରଶାସନିକ ମହଲ ସହ ଜନସାଧାରଣଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି।

Leave a Reply

Your email address will not be published. Required fields are marked *