ମଙ୍ଗଳବାର ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ଭାଗ୍ୟ ନିର୍ଦ୍ଧାରଣ,

ନୟାଗଡ଼: ସଦରବ୍ଲକ ଲକ୍ଷ୍ମୀପ୍ରସାଦ ସରପଞ୍ଚ ଇଂ ସୈାମ୍ୟ ରଞ୍ଜନ ପ୍ରଧାନଙ୍କ ବିରୁଦ୍ଧରେ ପଞ୍ଚାୟତ ୱାର୍ଡ଼ ସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ଼ ସଭ୍ୟ ତାଙ୍କର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏନେଇ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ଜଣାଯାଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏହି ଅନସ୍ଥା ବୈଠକ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।

ଗତମାସ ୨ ତାରିଖରେ ୱାର୍ଡ଼ ସଭ୍ୟମାନେ ନୟାଗଡ଼ ବିଡିଓଙ୍କୁ ସରପଞ୍ଚ କାରସାଦି ସମ୍ପର୍କରେ ଅବଗତ କରାଇଥିଲେ । ସୈାମ୍ୟ ପଞ୍ଚାୟତରେ ମନମୁଖ୍ୟ କାର୍ୟ୍ୟ କରୁଥିବା ଅଭିଯୋଗ କରିଥିଲେ । ଜେଇ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ କାମର କାର୍ୟ୍ୟଦେଶ ରହିଥିବା ବେଳେ ସରପଞ୍ଚ ବିଡିଓଙ୍କୁ ବିଲ୍ ମାଗିବା, କମ ଟଙ୍କାର କାମ କରି ଅଧିକ ଅର୍ଥ ବିଲ୍ କରିବା ପାଇଁ ଜେଇଙ୍କୁ ବାଧ୍ୟ କରିବା ଭଳି ଅଭିଯୋଗ ହୋଇଥିଲା । ଏପରିକି ସପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଯନ୍ତ୍ରୀଙ୍କ ବିରୁଦ୍ଧରେ ରାଗ ଶୁଝାଇବାକୁ ବ୍ୟକ୍ତିଗତ ତଥ୍ୟ ପାଇଁ ସୂଚନା ଅଧିକାର ଆଇନର ଆଶ୍ରୟ ନେବା କଥା ୱାର୍ଡ଼ ସଭ୍ୟମାନେ ଅଭିଯୋଗ କରିଥିଲେ ।

ଗତ ୨୬ ତାରିଖରେ ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ଼ ସଭ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ସରପଞ୍ଚଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଏନେଇ ଉପଜିଲ୍ଲାପାଳଙ୍କ ପକ୍ଷରୁ ଗତ ୩୦ ତାରିଖରେ ସରପଞ୍ଚ ସୈାମ୍ୟଙ୍କ ପାଖକୁ ନୋଟିସ କରାଯାଇଛି ।

Leave a Reply

Your email address will not be published. Required fields are marked *