ଛତିଶଗଡ଼ରୁ ଟ୍ରେନ ଚଳାଚଳ ଉପରେ କଟକଣା: ମୁଖ୍ୟ ସଚିବଙ୍କ ଅନୁରୋଧକୁ ଖାରଜ କଲା ରେଳବାଇ

ଭୁବନେଶ୍ୱର:- ଛତିଶଗଡ଼ ଦେଇ ଓଡ଼ିଶା ଆସୁଥିବା ସମସ୍ତ ଯାତ୍ରୀବାହୀ ଟ୍ରେନର ଚଳପ୍ରଚଳ ଉପରେ କଟକଣା ଜାରି ପାଇଁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କରିଥିବା ଦାବିକୁ ରେଳବାଇ ବୋର୍ଡ ରୋକଠୋକ୍ ଭାବେ ପ୍ରତ୍ୟାଖ୍ୟାନ କରିଦେଇଛି। ଓଲଟା ଓଡ଼ିଶାର ପ୍ରତ୍ୟେକ ରେଳ ଷ୍ଟେସନରେ ଯାତ୍ରୀଙ୍କ କୋଭିଡ୍ ସ୍କ୍ରିନିଂ କରିବାକୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି।ଗୁରୁବାର ରାଜ୍ୟ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଲେଖିଥିବା ଚିଠିର ଜବାବ ଦେଇ ରେଳବାଇ ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀତ ଶର୍ମା ଶୁକ୍ରବାର ଏକ ଚିଠି ପଠାଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ମାର୍ଚ୍ଚ ୨୩ତାରିଖ ଗାଇଡଲାଇନ୍ ଅନୁସାରେ ଦେଶବ୍ୟାପୀ ରେଳ ଚଳପ୍ରଚଳ ନିମନ୍ତେ ରେଳବାଇକୁ ଅନୁମତି ପ୍ରଦାନ କରାଯାଇଛି। ତେଣୁ ଏଦିଗରେ ଗୃହ ମନ୍ତ୍ରଣାଳୟ ସହ ଯୋଗାଯୋଗ କରିବା ପାଇଁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ଓଡ଼ିଶା ଆସୁଥିବା ଟ୍ରେନଗୁଡ଼ିକର ଯାତ୍ରୀମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା କଟକଣା ସମ୍ପର୍କରେ ଷ୍ଟେସନଗୁଡ଼ିକରେ ବାରମ୍ବାର ଘୋଷଣା କରାଯାଇ ଓ ସନ୍ଦେଶ ପଠାଇ ସଚେତନ କରାଯିବ ବୋଲି ଶ୍ରୀ ଶର୍ମା ଆଶ୍ୱାସନା ଦେଇଛନ୍ତି। ରାଜ୍ୟର ରେଳ ଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସ୍କ୍ରିନିଂ ଓ କୋଭିଡ୍ ଯାଂଚ ପାଇଁ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *