କରୋନା ଆକ୍ରାନ୍ତ ବନ୍ଦୀଙ୍କୁ ଜେଲ୍‌ ମନା

ଭୁବନେଶ୍ୱର:-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ତତ୍ପର ହୋଇଛି ଜେଲ୍‌ ବିଭାଗ। ସେଥିପାଇଁ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌। ପ୍ରସ୍ତୁତ ହୋଇଥିବା ଗାଇଡ୍‌ଲାଇନ୍‌କୁ ସବୁ ଜେଲ୍‌ ଅଧୀକ୍ଷକଙ୍କୁ ଆଜି ପଠାଇଛନ୍ତି ଜେଲ୍‌ ଡିଜି। ଯଦି କେହି ଅନ୍ତେବାସୀ ପଜିଟିଭ ଚିହ୍ନଟ ହୁଅନ୍ତି, ସେମାନଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯିବ। କୋର୍ଟଙ୍କ ରିମାଣ୍ଡ ଅନୁମତି ଆଣି ସଂପୃକ୍ତ ବନ୍ଦୀଙ୍କୁ ହସ୍ପିଟାଲ ପଠାଯିବ। ପଜିଟିଭଙ୍କୁ ସିସିସି ଓ ଗୁରୁତରଙ୍କୁ କୋଭିଡ୍‌ କେୟାର ହସ୍ପିଟାଲ ପଠାଯିବ। କୌଣସି କୋଭିଡ୍‌ ଆକ୍ରାନ୍ତଙ୍କୁ ଜେଲ ପରିସରରେ ରଖାଯିବ ନାହିଁ ବୋଲି ଡିଜି ଚିଠିରେ ଉଲ୍ଲେଖ କରିଛନ୍ତି।

ମହାମାରୀ କରୋନାର ଦ୍ୱିତୀୟ ଲହରୀ ରାଜ୍ୟରେ ଦେଖିବାକୁ ମିଳିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର। ଗତ ମଙ୍ଗଳବାର ସ୍ଥିତର ସମୀକ୍ଷା କରି ୧୦ ଦିନିଆ ସ୍ପେଶାଲ୍‌ ଡ୍ରାଇଭ୍‌ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ପୁଲିସ ଗତ ଦୁଇ ଦିନ ହେଲା ସ୍ପେଶାଲ ଡ୍ରାଇଭ୍‌ କରୁଛି। କୋଭିଡ୍‌ ଉଲ୍ଲଂଘନ କରୁଥିବା ଅଭିଯୁକ୍ତଙ୍କୁ ବାନ୍ଧୁଛି।ଗିରଫ ହେଉଥିବା ଅଭିଯୁକ୍ତଙ୍କୁ ଯଦି କରୋନା ହୋଇଥିବ, ସେମାନଙ୍କୁ ଜେଲ୍‌ ପଠାଯିବ ନାହିଁ। କୋର୍ଟଙ୍କ ରିମାଣ୍ଡ ଅନୁମତିରେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ ପଠାଯିବ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *