‘ପଜିଟିଭ୍ ସଂଖ୍ୟା ବଢ଼ିଛି, ତେବେ ସ୍ଥିତି ଠିକ ଅଛି’

ଭୁବନେଶ୍ୱର:- ରାଜ୍ୟରେ କରୋନା ଗ୍ରାଫ୍‌ ଏବେ ଉପରମୁହାଁ ରହିଛି। ଆଜି ରାଜ୍ୟରେ ପଜିଟିଭ ସଂଖ୍ୟା ୨୦୦ ପାର କରିଦେଇଛି।  ହେଲେ ଏଥିଯୋଗୁ ଭୟଭୀତ ହେବା ଦରକାର ନାହିଁ, ଓଡ଼ିଶା ସ୍ଥିତି ଠିକ୍ ଥିବା କହିଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡା।

ରାଜ୍ୟରେ ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ ନେଇ ILS ନିର୍ଦ୍ଦେଶକ କହିଛନ୍ତି, ଡିସେମ୍ବରରେ ୩ ୟୁକେ ଫେରନ୍ତାଙ୍କଠାରେ ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା। ଏବେ ସେମାନେ ସୁସ୍ଥ ହୋଇ ସାରିଥିବାରୁ କାହାକୁ ସଂକ୍ରମିତ କରି ନାହାନ୍ତି। ILSରେ ୨୨୦ଟି ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ତାହା ମାରାତ୍ମକ ନୁହେଁ ବୋଲି ସେ କହିଛନ୍ତି।ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ନମୁନାରୁ ଭୟାନକ ସ୍ଥିତି ନାହିଁ ବୋଲି ଆଇଏଲଏସ ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ନୂଆପଡ଼ା, କନ୍ଧମାଳ, କଳାହାଣ୍ଡିର ନମୁନା ପରୀକ୍ଷା କରାଯାଉଛି। ରାଜ୍ୟରେ ସ୍ଥିତି ଗମ୍ଭୀର ନଥିଲେ ମଧ୍ୟ ହୋଲି ଭଳି ପର୍ବପର୍ବାଣୀରେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।ଏଥିସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରି ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣ କରାଯାଇ ପାରିବ ବୋଲି ସେ ମତ ରଖିଛନ୍ତି। ସେପଟେ ମହାରାଷ୍ଟ୍ର ଓ ପଞ୍ଜାବରେ ଷ୍ଟ୍ରେନର ସଂକ୍ରମଣ ହାର ଅଧିକ। ମହାରାଷ୍ଟ୍ରରେ ପ୍ରତି ସପ୍ତାହରେ ପଜିଟିଭ ସଂଖ୍ୟା ୨ ଗୁଣରୁ ଅଧିକ ବଢ଼ିଯାଇଛି। ପୁନଃ ସଂକ୍ରମଣ ହାର ୧:୧ରୁ ୧:୫କୁ ବଢ଼ିଛି।  ତେବେ ଏହା ମାରାତ୍ମକ ନୁହେଁ ବୋଲି ସେ କହିଛନ୍ତି । ସେହିପରି ପଞ୍ଜାବରେ ୭୦ ପ୍ରତିଶତ ୟୁକେ ଭେରିଏଣ୍ଟ ରହିଥିବା ସେ ସୂଚନା ଦେଇଛନ୍ତି ।

ରାଜ୍ୟରେ ଜଣେ ଡବଲ ମ୍ୟୁଟାଣ୍ଟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଆଇଏଲ୍ଏସ୍ ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା। ଡିସେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ୨୨୦ ସାମ୍ପଲ ଟେଷ୍ଟ କରିଥିଲୁ। ୨୨୦ ସାମ୍ପଲରୁ ଗୋଟିଏ ଡବଲ ମ୍ୟୁଟେସନ ମିଳିଥିଲା। ସେ ସଂପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି, କାହାକୁ ସଂକ୍ରମିତ କରିନାହାନ୍ତି।

ଏବେ ରାଜ୍ୟରେ ଆଉ କିଛି ମ୍ୟୁଟାଣ୍ଟ ମିଳିଛି ଯାହାକୁ N440K କୁହାଯାଉଛି। ଓଡ଼ିଶାରୁ ୩ଟି N440K ମ୍ୟୁଟାଣ୍ଟ ମିଳିଛି, ଛତିଶଗଡ଼ରୁ ବି ୩ଟି ମିଳିଛି। ସେମାନେ ବେଶି ମାରାତ୍ମକ ନୁହଁନ୍ତି କି ସଂକ୍ରାମକ ନୁହଁନ୍ତି ବୋଲି କହିଲେ ନିର୍ଦ୍ଦେଶକ। ତେବେ ସମସ୍ତେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା, ଭ୍ୟାକସିନ ନେବାକୁ ପରାମର୍ଶ ଦେଇଛନ୍ତି ଆଇଏଲ୍ଏସ୍ ନିର୍ଦ୍ଦେଶକ।

Leave a Reply

Your email address will not be published. Required fields are marked *