ପରମବୀରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି କାଲି,

ମୁମ୍ବାଇ:-ପରମବୀର ସିଂହଙ୍କ ଲେଟର ବମ୍‌ ପରେ ଉଠୁଛି ପଡ଼ୁଛି ମହାରାଷ୍ଟ୍ର ରାଜନୀତି। ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀଶ ମଧ୍ୟ ତଥ୍ୟ ପ୍ରମାଣ ସହ ଗୃହ ସଚିବଙ୍କ ପାଖରେ ପହଞ୍ଚିବା ସହ ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି। ଏହା ସହ ଆଉ ଏକ ଖବର ସାମ୍ନାକୁ ଆସିଛି। ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିବେ। ନିଜ ଆବେଦନରେ ପରମବୀର ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଘୋଟାଲ ଅଭିଯୋଗ ଆଣିବା ସହ ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି।

ଏହା ସହ ତାଙ୍କୁ କମିଶନର ପଦରୁ ହଟାଇବା ସମ୍ପର୍କରେ ଯାଞ୍ଚ ହେଉ ବୋଲି ମଧ୍ୟ ପରମବୀର ଦାବି କରିଛନ୍ତି। ଅନ୍ୟପଟେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନବୀଶ ଦିଲ୍ଲୀରେ ମଙ୍ଗଳବାର ଗୃହ ସଚିବଙ୍କୁ ଭେଟି ତାଙ୍କ ନିକଟରେ ପ୍ରମାଣ ଦାଖଲ କରିବା ସହ ମାମଲାରେ ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି। ଏହି ସମୟରେ ଫଡନବୀଶ ୬.୩ ଜିବିର କଲ ରେକର୍ଡିଂ ଗୃହ ମନ୍ତ୍ରାଳୟକୁ ଦେଇଥିବା ଜଣାପଡ଼ିଛି। ଯେଉଁଥିରେ ପୋଲିସ ବଦଳି ନେଇ ବଡ଼ ଧରଣର ଘୋଟାଲା ହୋଇଥିବା ସେ ଦାବି କରିଛନ୍ତି।

ଗୃହ ସଚିବଙ୍କ ଭେଟ ହେବା ପରେ ପଡନବୀଶ କହିଛନ୍ତି ମୁଁ ସମସ୍ତ ପ୍ରମାଣ ବନ୍ଦ ଲଫାପାରେ ଦେଇଛି। ଏହା ସହ ସଚିବ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମାମଲା ସମ୍ପର୍କରେ ଯାଞ୍ଚ କରି ଉଚିତ ପଦକ୍ଷେପ ଗ୍ରହଣ କରିବେ। ଫଡନବୀଶ ଦାବି କରିଛନ୍ତି ୬.୩ ଜିବି ଡାଟାରେ ଗୃହ ଏବଂ ପୋଲିସ ବିଭାଗକୁ ନେଇ କେବଳ ଆଲୋଚନା ରହିଛି। ଯେଉଁ ସବୁ ପୋଲିସ ଅଧିକାରୀଙ୍କ କଲ ରେକର୍ଡ ହୋଇଛି ସେମାନଙ୍କୁ ପଦବୀ ମିଳିସାରିଛି। ଏହା ସହ ଏହି କଲ୍‌ ରେକର୍ଡିଂରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଥିବା ମଧ୍ୟ ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *