ଜଙ୍ଗଲରେ ନିଆଁ ଓ କାମ୍ପା ଫଣ୍ଡ ଅନିୟମିତତାକୁ ନେଇ ଘେରିଲେ ବିରୋଧୀ

ଭୁବନେଶ୍ୱର:-ରାଜ୍ୟର ଜଙ୍ଗଲରେ ନିଆଁ ଲାଗିବା ଓ କାମ୍ପା ଫଣ୍ଡ ଅନିୟମିତତାକୁ ନେଇ ଆଜି ବିଧାନସଭାରେ ବିରୋଧୀ ଦଳ ସଦସ୍ୟମାନେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଜଙ୍ଗଲ ବିଭାଗର ଖର୍ଚ୍ଚଦାବି ଆଲୋଚନାବେଳେ ବିରୋଧୀ ଦଳ ବିଭିନ୍ନ ଅନିୟମିତତା ପ୍ରସଙ୍ଗ ଉଠାଇ ସିଧାସଳଖ ସରକାରଙ୍କୁ ସମାଲୋଚନା କରିବା ସହ ଆଲୋଚନାବେଳେ ବିଭାଗୀୟ ମନ୍ତ୍ରୀ ଦେଇଥିବା ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।

ଆଜି ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗର ୧୮୯୧କୋଟି ୬୦ଲ୪ ୪୭ହଜାର ଟଙ୍କାର ଖର୍ଚ୍ଚ ଦାବି ଗୃହୀତ ହୋଇଛି । ବିଭାଗୀୟ ଖର୍ଚ୍ଚ ଦାବି ଉପରେ ଆଲୋଚନାବେଳେ ବିରୋଧୀ ବିଜେପି ସଦସ୍ୟମାନେ ସଦସ୍ୟମାନେ କାମ୍ପା ପାଣ୍ଠିରୁ କେନ୍ଦ୍ର ସରକାର ଦେଇଥିବା ୫୯୯୩କୋଟି ଟଙ୍କାକୁ କେମିତି ଖର୍ଚ୍ଚ କରାଗଲା ତା’ର ହିସାବ ଦେବାକୁ ଦାବି କରିଥିଲେ । ବନୀକରଣ ନାଁରେ ଲୁଟ୍ ଚାଲିଛି। ଡିଏମଏଫ ଫଣ୍ଡ ଓ ଓଏମବିଡିସି ପାଣ୍ଠି ଟଙ୍କା ଅସାଧୁ ଅଫିସରଙ୍କ ପକେଟକୁ ଯାଉଛି ବୋଲି ଅଭିଯୋଗ କରିବା ସହ ଏନେଇ ସରକାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଦାବି କରିଥିଲେ । ସେହିପରି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନାଁ ବଦଳାଇ ପ୍ରଦୂଷଣ ଅନୁମତି ବୋର୍ଡ ରଖିବାକୁ ବିରୋଧୀ ଦଳ ସଦସ୍ୟ କଟାକ୍ଷ କରିଥିଲେ।

ତେବେ ବିରୋଧୀ ଦଳ ସଦସ୍ୟମାନଙ୍କ ଆଲୋଚନା ଉପରେ ମତ ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ, ଜଙ୍ଗଲ ସୃଷ୍ଟି କରିବାରେ ଓଡ଼ିଶା ୪ନମ୍ବର ସ୍ଥାନରେ ରହିଛି । ମଧ୍ୟପ୍ରଦେଶ, ଅରୁଣାଚଳପ୍ରଦେଶ, ଛତିଶଗଡ଼ ପରେ ଓଡ଼ିଶା ରହିଛି। କାମ୍ପା ପାର୍ଠି ଟଙ୍କା କେନ୍ଦ୍ର ସରକାରଙ୍କ ନିକଟରେ ଥିଲା, ଏବେ ଏହା ଓଡ଼ିଶାକୁ ଫେରସ୍ତ ହୋଇଛି। ତାକୁ କାମ୍ପା ପାଣ୍ଠିରେ ରଖାଯାଇଛି । ସେଥିରୁ ୯୦୩କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟ ସରକାର ବଜେଟ୍ ପ୍ରସ୍ତୁତ କରି ଏହି ଟଙ୍କାକୁ ଖର୍ଚ୍ଚ କରୁଛନ୍ତି । ଜଙ୍ଗଲରେ ନିଆଁ ଲାଗିବା ଏକ ସ୍ୱାଭାବିକ ପ୍ରକ୍ରିୟା। ପ୍ରତିବର୍ଷ ଏପରି ନିଆଁ ଲାଗେ । ଚଳିତବର୍ଷ ୩୨,୬୨୪କିମି ଦୀର୍ଘ ଅଗ୍ନିପ୍ରତିରୋଧକ ରେଖା ସୃଷ୍ଟି କରାଯାଇଛି। ଜଙ୍ଗଲ ସୀମାନ୍ତ ଗାଁରେ ପ୍ରାୟ ୨୭୧୮ଟି ଗ୍ରାମସ୍ତରୀୟ ସଚେତନତା ସୃଷ୍ଟି ସଭା ଆୟୋଜନ କରାଯାଇଛି । ପୂର୍ବତନ ପ୍ରଧାନ ବନସଂରକ୍ଷକ ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି, ଯେଉଁଥିରେ ରାଜ୍ୟ ବାହାରୁ ୩ଜଣ ବିଶେଷଜ୍ଞଙ୍କୁ ରଖାଯାଇଛି।

ସେହିପରି ସବୁଜ ମହାନଦୀ ମିଶନରେ ଗତ ୩ବର୍ଷ ମଧ୍ୟରେ ପ୍ରାୟ ୧୮ହଜାର ହେକ୍ଟର ଜମିରେ ୯୬ଲକ୍ଷ ବୃକ୍ଷ ଚାରାରୋପଣ କରାଯାଇଛି। ୨୦୨୧-୨୨ରେ ଏହି ସବୁଜ ବଳୟର ରକ୍ଷଣାବେକ୍ଷଣ ପାଇଁ ୫କୋଟି ଟଙ୍କା ବ୍ୟୟ ଅଟକଳର ପ୍ରସ୍ତାବ ରହିଛି। ସେହିପରି ୨୦୨୧-୨୨ ବର୍ଷ ପାଇଁ ଆମ ଜଙ୍ଗଲ ଯୋଜନାରେ ୧୫କୋଟି ଟଙ୍କା ବ୍ୟୟରେ ୨୦ହଜାର ହେକ୍ଟର ଏଏନଆର ବନୀକରଣ ଲକ୍ଷ୍ୟ ରଖାଯାଇଛି। ସବୁଜ ବଳୟ ବୃଦ୍ଧି ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୭କୋଟି ୩୬ଲକ୍ଷ ଟଙ୍କା ଖର୍ଚ୍ଚ ଆକଳନ କରାଯାଇଥିବା ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି

Leave a Reply

Your email address will not be published. Required fields are marked *