ଚନ୍ଦକା ଜଙ୍ଗଲରେ ନିଆଁକୁ ଲିଭା ସରିଛି: ଟାସ୍କଫୋର୍ସ
ଭୁବନେଶ୍ୱର:-ଗତକାଲି ଚନ୍ଦକା ଡମପଡ଼ା ଜଙ୍ଗଲ ବାହ୍ୟ ଅଂଚଳର ଜଙ୍ଗଲ ନିଆଁକୁ ପ୍ରଶମିତ କରାଯାଇଛି। ଆଜି ମଧ୍ୟ ରାଜ୍ୟରେ ସୃଷ୍ଟି ହୋଇଥିବା ଜଙ୍ଗଲ ନିଆଁ ଆୟତ୍ତାଧୀନ ରହିଛି ବୋଲି ରାଜ୍ୟସ୍ତରୀୟ ଜଙ୍ଗଲ ଟାସ୍କଫୋର୍ସ କହିଛନ୍ତି।
ଟାସ୍କଫୋର୍ସଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି, ରାଜ୍ୟରେ ଜଙ୍ଗଲ ନିଆଁ ପରିସ୍ଥିତି ସମ୍ପୂର୍ଣ୍ଣ ଆୟତ୍ତାଧୀନ ରହିଛି । ଆଗାମୀ ଦୀର୍ଘ ଗ୍ରୀଷ୍ମଋତୁ ଓ ତାପମାନ ବୃଦ୍ଧିକୁ ଆଖିରେ ରଖି କ୍ଷେତ୍ରୀୟ ଅଧିକାରୀ ଓ କର୍ମଚାରୀ ବନାଗ୍ନିର ବିସ୍ତାରକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସରକାର କ୍ଷେତ୍ର କର୍ମଚାରୀଙ୍କ ସହ ସମୀକ୍ଷା କରି ଜଙ୍ଗଲ ନିଆଁର ସ୍ଥିତିର କ୍ରମାଗତ ତଦାରଖ ଜାରି ରଖିଛନ୍ତି । ବର୍ଦ୍ଧିତ ମାନବ ଶକ୍ତି ଓ ଭିତ୍ତିଭୂମି ସହ ଓଡ୍ରାଫ ଓ ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସହାୟତାକୁ ଅଗ୍ନିପ୍ରବଣ ଅଂଚଳ ସହ ହଟସ୍ପଟ୍ଗୁଡ଼ିକର ଜଙ୍ଗଲ ନିଆଁକୁ ଦମନ କରିବା ନିମନ୍ତେ ପ୍ରଭାବଶାଳୀ ଭାବେ ବିନିଯୋଗ କରାଯାଉଛି।
ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାନୀୟ ସମୁଦାୟ ସହାୟତାରେ ନିଆଯାଇଥିବା ସମନ୍ୱିତ ଓ ସକ୍ରିୟ ପଦକ୍ଷେପ ଓ ବନ କ୍ଷେତ୍ର କର୍ମଚାରୀଙ୍କ କଠିନ ପରିଶ୍ରମ ଯୋଗୁ ଜଙ୍ଗଲ ନିଆଁକୁ ନିୟନ୍ତ୍ରିତ ଓ ଆୟତ୍ତାଧୀନ କରାଯାଇ ପାରିଛି ବୋଲି ଟାସ୍କଫୋର୍ସଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି।