ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ

ବାରିପଦା: ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିଥିବା ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ । ଦିନ ରାତି ଜଳୁଛି ଏହି ବିରାଟ ବନଭୂମି, ଏଥିରେ ହଜାର ହଜାର ବୃକ୍ଷରାଜି ଔଷଧୀୟ ଗୁଳ୍ମ ଜଳି ପୋଡ଼ି ପାଉଁଶ ହୋଇଯାଉଛି ଏବଂ ବସବାସ କରୁଥିବା ଜୀବଜନ୍ତୁ ସହରାଭିମୁଖୀ ହେଉଛନ୍ତି । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଶିମିଳିପାଳ ଜଙ୍ଗଲରେ ଏହି ଭୟାନକ ନିଆଁକୁ ଆୟତ୍ତ କରିବାକୁ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଶିମିଳିପାଳର କେନ୍ଦ୍ରାଞ୍ଚଳରେ ଥିବା ପାହାଡ଼ିଆ ତିଖ ଓ ଖାଲୁଆ ସ୍ଥାନ ଗୁଡ଼ିକୁ ନିଆଁ ଲିଭାଇବା ପାଇଁ ଗାଡ଼ି ସହଜରେ ପହଞ୍ଚିବା ସମ୍ଭବପର ହେଉ ନଥିବାରୁ ସେହି ଅଞ୍ଚଳ ଗୁଡ଼ିକରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ କର୍ମଚାରୀମାନଙ୍କୁ ନାକେଦମ୍ ହେବାକୁ ପଡ଼ୁଛି ।ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶାନୁଯାୟୀ ମୟୂରଭଞ୍ଜ ଜିଲ୍ଲା ଅଧୀନରେ ଥିବା ୨ଟି ସହକାରୀ ଅଗ୍ନିଶମ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଆଁକୁ ନିୟନ୍ତ୍ରଣାଧୀନ କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରହିଛି । ଏ ପର୍ଯ୍ୟନ୍ତ ବାରିପଦା ସହକାରୀ ଅଗ୍ନିଶମ ଅଧିକାରୀଙ୍କ କାର୍ଯ୍ୟାଳୟ ଅଭୟାରଣ୍ୟ ମଧ୍ୟରେ ୨୨୨ଗୋଟି ସ୍ଥାନରେ ଅଗ୍ନି ନିର୍ବାପନ କରିଛନ୍ତି ଏବଂ ରାଇରଙ୍ଗପୁର ସହକାରୀ ଅଗ୍ନିଶମ ଅଧିକାରୀଙ୍କ କାର୍ଯ୍ୟାଳୟ ଅଭୟାରଣ୍ୟ ମଧ୍ୟରେ ୧୩୫ ଗୋଟି ସ୍ଥାନରେ ଅଗ୍ନି ନିର୍ବାପନ କରିଛନ୍ତି । ଅଭୟାରଣ୍ୟର କେନ୍ଦ୍ରାଞ୍ଚଳରେ ମଧ୍ୟ ୫୪ଟି ସ୍ଥାନରେ ମଧ୍ୟ ନିଆଁ ଲାଗିଅଛି । ଉଭୟ ସହକାରୀ ଅଗ୍ନିଶମ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୋଟ ୧୩୫ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି ।ଶୂଳିଆପଦା, ବାଙ୍ଗିରିପୋଷି, ଉଦଳା, କପ୍ତିପଦା, ବଡ଼ସାହି, ପୁରୁଣା ବାରିପଦା, ଯଶୀପୁର, କରଞ୍ଜିଆ ଏବଂ ଠାକୁରମୁଣ୍ଡା ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ମାନେ ମଧ୍ୟ ନିୟୋଜିତ ହୋଇଛନ୍ତି । ସେହିପରି ରାଇରଙ୍ଗପୁର ସହକାରୀ ଅଗ୍ନିଶମ ଅଧିକାରୀ ମଣ୍ଡଳରୁ ଜାମଡ଼ା, ତିରିଂ, ସୁକୃଳି ଏବଂ ରାଇରଙ୍ଗପୁର ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ମାନେ ନିୟୋଜିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *