ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ,

ଭୁବନେଶ୍ଵର ;-ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ। ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା କାର୍ଯ୍ୟକାରିଣୀରେ ରାଜ୍ୟ ପ୍ରଭାରୀ, ଦୁଇ କେନ୍ଦ୍ରମନ୍ତ୍ରୀ, ଦଳର ସାଂସଦ ଓ ବିଧାୟକଙ୍କ ସହ ଜିଲ୍ଲା ସଭାପତି ଓ ପର୍ଯବେକ୍ଷକମାନଙ୍କୁ ନେଇ ହୋଇଥିବା ମାନସ ମନ୍ଥନରେ ଦଳର ରାଜନୈତିକ ଚିଠା ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହା ସହ ଦୁଇ ମାସ ଭିତରେ ରାଜ୍ୟର ପ୍ରତି ବୁଥ ସ୍ତରରେ କମିଟି ଗଠନ କରିବାକୁ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନେଇଛି ଦଳ ।ରାଜ୍ୟ କାର୍ଯ୍ୟକାରିଣୀରେ ଦଳୀୟ ରଣନୀତି ପ୍ରସ୍ତୁତ କଲା ରାଜ୍ୟ ବିଜେପି। ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ସହ ଦଳୀୟ ସାଙ୍ଗଠନିକ ବିସ୍ତାର ନେଇ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ଓଡିଶା ବିକାଶରେ ରାଜ୍ୟ ସରକାର ବାଧକ,  ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ସୀମା ବିବାଦ, ଚାଷୀ ସମସ୍ୟା, ମହିଳା ନିର୍ଯାତନା, ଶିଶୁ ନିଖୋଜ ସହ ଶ୍ରୀମନ୍ଦିର ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟକରଣ ନାଁରେ ଭଙ୍ଗାରୁଜା ଆଦି ପ୍ରସଙ୍ଗକୁ ରାଜନୈତିକ ଚିଠା ପ୍ରସ୍ତାବରେ ସ୍ଥାନ ଦେଇଛି। ଏହା ସହ  ପ୍ରବାସୀ ଶ୍ରମିକ ସମସ୍ୟା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ଯୋଜନା ଠିକ ଭାବରେ ଲୋକଙ୍କ ପାଖରେ ନ ପହଁଚିବା ଭଳି ବିଷୟରେ କାର୍ଯ୍ୟକାରିଣୀରେ ଆଲୋଚନା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି।ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ  ପିପିଲି ଉପନିର୍ବାଚନ ସହ ଆଗକୁ ଆସୁଥିବା ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ମଧ୍ୟ ରଣନୀତି  ପ୍ରସ୍ତୁତ ହୋଇଛି । ଦଳର ସାଙ୍ଗଠନ ବିସ୍ତାର ଲାଗି ଟାଇମ ବାଉଣ୍ଡ ମ୍ୟାନରରେ ରଣନୀତି ପ୍ରସ୍ତୁତ କରିଛି ଦଳ । ଆସନ୍ତା ୭ ଦିନ ଭିତରେ ଦଳ ୩୬ ଟି ସାଙ୍ଗଠନିକ କାର୍ଯ୍ୟକାରିଣୀ ସାରିବାକୁ ନିଷ୍ପତ୍ତି ହୋଇଛି ।  ୩ ମାସ ଭିତରେ ମଣ୍ଡଳ କମିଟି ଓ ବୁଥ କମିଟି ଗଠନ କରି ସଂଗଠନ ସୁଦୃଢ଼ କରିବା ପାଇଁ ଦଳ ରୂପରେଖ ପ୍ରସ୍ତୁତ କରିଛି ।ବିଜେପି କାର୍ଯ୍ୟକାରିଣୀରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ  ସମେତ   କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ , ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ, ସହ ପ୍ରଭାରୀ ବିଜୟପାଲ ସିଂହ ତୋମାର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମେତ ସବୁ ସାଂସଦ, ବିଧାୟକ ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀଙ୍କୁ ମିଶାଇ ୩୪୫ ସଦସ୍ୟ ଥିଲେ ।

Leave a Reply

Your email address will not be published. Required fields are marked *