ମୋବାଇଲ୍‌ ଟାୱାରରେ ଚଢ଼ିଗଲା ୪ ବର୍ଷର ଶିଶୁ

ନିଆଳି:-୪ ବର୍ଷର ଶିଶୁ ମୋବାଇଲ୍‌ ଟାୱାରରେ ଚଢ଼ିଗଲା। ଦୀର୍ଘ ଘଣ୍ଟାଏରୁ ଅଧିକ ସମୟର ଅପରେଶନ୍‌ ପରେ ଶିଶୁଟିକୁ ଟାୱାରରୁ ଉଦ୍ଧାର କରାଯାଇଛି। ଆଜି ଏପରି ଘଟଣା କଟକ ଜିଲ୍ଲା ପାଟସୁନ୍ଦରପୁର ଗାଁରେ ଘଟିଛି।

କଣ୍ଟାପଡ଼ା ବ୍ଲକ ନୂଆ ପାଟସୁନ୍ଦରପୁର ଗାଁର ୪ ବର୍ଷର ଶିଶୁ ଘର ପାର୍ଶ୍ୱରେ ଥିବା ମୋବାଇଲ ଟାୱାରରେ ଚଢ଼ି ଯାଇଥିଲା। ଏହା ଦେଖି ଜଣେ ଯୁବକ, ତାକୁ ଉଦ୍ଧାର କରିବା ପାଇଁ ଟାୱାର ଚଢ଼ି ଯାଇଥିଲେ। ଯୁବକ ଜଣକ ପ୍ରଥମ ଶିଶୁକୁ କାବୁ କରି ନେଇଥିଲେ। ମାତ୍ର ସେ ତଳକୁ ଓହ୍ଲାଇ ପାରିନଥିଲେ। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଟାୱାରରେ ଅଟକି ରହିଥିଲେ।

ସ୍ଥାନୀୟ ଲୋକେ ଏନେଇ ଅଡଶପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ଟାୱାର ଉପରୁ ଶିଶୁ ଓ ଯୁବକଙ୍କୁ ଉଦ୍ଧାର କରିଛନ୍ତି।

ପରିବାର ଲୋକଙ୍କ କହିବା ଅନୁସାରେ ଶିଶୁର ମାନସିକ ଅବସ୍ଥା ଠିକ୍‌ ନାହିଁ। ଅନେକ ସମୟ ପିଲାଟି ଘରୁ ପଳାଇ ଯାଇଥାଏ। ଆଜି ମାଆ ଘର କାମରେ ବ୍ୟସ୍ତ ଥିବା ବେଳେ ଶିଶୁଟି ଟାୱାର ଉପରକୁ ଚଢ଼ି ଯାଇଥିଲା।

Leave a Reply

Your email address will not be published. Required fields are marked *