ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଗହଣା ଦୋକାନୀ ମୃତ
ଭୁବନେଶ୍ୱର:-ସୋମବାର ସକାଳୁ ସକାଳୁ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ବଡ଼ ଅଘଟଣ। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁରେ ଦୋକାନ ଖୋଲିବା ବେଳେ ସୁନା ଦୋକାନୀଙ୍କୁ ଗୁଳି କରି ଗହଣା ଭର୍ତ୍ତି ବ୍ୟାଗ ଲୁଟିନେଲେ ୩ ଦୁର୍ବୃତ୍ତ। ଗୁଳିମାଡ଼ରେ ଗହଣା ଦୋକାନୀଙ୍କ ମୃତ୍ୟୁ ହୋଇଥିବା ବେଳେ ସହାୟତା ପାଇଁ ଆସିଥିବା ଜଣେ ବ୍ୟକ୍ତି ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ଭୟଙ୍କର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ତେବେ ରୋହିତଙ୍କ କବଳରୁ ଖସିଯିବାକୁ ଲୁଟେରା ପଏଣ୍ଟ ବ୍ଲାଙ୍କରୁ ତାଙ୍କ ଛାତି ଓ ମୁଣ୍ଡକୁ ପୁଣି ଚଳାଇଥିଲେ ଦୁଇ ରାଉଣ୍ଡ ଗୁଳି। ଏହି ସମୟରେ ରୋହିତଙ୍କୁ ଉଦ୍ଧାର ପାଇଁ ସରୋଜ ଦାସ ନାମକ ଜଣେ ବ୍ୟକ୍ତି ଦୌଡ଼ି ଆସିଥିଲେ। ସେ ବି ଲୁଟେରାଙ୍କ ଗୁଳିରୁ ବର୍ତ୍ତି ପାରିନଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବଡ଼ଗାଁ ମେଡିକାଲ ଓ ପରେ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ରୋହିତଙ୍କ ମୃତ୍ୟୁ ହୋଇଥିବା ବେଳେ ସରୋଜଙ୍କ ଅବସ୍ଥା ସ୍ଥିର ରହିଛି।
ସିସିଟିଭି ଫୁଟେଜ୍ ଆଧାରରେ ବଡ଼ଗାଁ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଚଳାଇଛି ଘଟଣାର ଖୋଳତାଡ଼। ଏଥିପାଇଁ ସାଇବର ଟିମର ବି ସହାୟତା ନିଆଯାଉଛି। ୨ଟି ଟିମ୍ ଗଠନ କରି ଲୁଟେରାଙ୍କୁ ଧରିବାକୁ ଚଢ଼ାଉ ଚାଲିଛି ପଡ଼ୋଶୀ ଜିଲ୍ଲା ଓ ଝାଡ଼ଖଣ୍ଡର ସମସ୍ତ ପ୍ରବେଶ ପଥ ସିଲ୍ କରାଯାଇ ଥିବା ସୁନ୍ଦରଗଡ଼ ଏସପି ସୂଚନା ଦେଇଛନ୍ତି। ତେବେ ଏହା ପୂର୍ବରୁ ମଧ୍ୟ ରାଉରକେଲାରେ ଏକ ଲୁଟ୍ ହୋଇଥିଲା।
ସବୁଦିନ ଭଳି ସୋମବାର ସକାଳ ୯ଟା ୧୨ ମିନିଟରେ ରୋହିତ ବର୍ମା ନିଜ ଗହଣା ଦୋକାନ ଖୋଲୁଥିଲେ। ଏତିକି ବେଳେ ହଠାତ୍ କେଉଁଆଡ଼ୁ ମାଡ଼ିଆସିଲେ ତିନି ଲୁଟେରା। ଲୁଟେରା ରୋହିତଙ୍କୁ ଟାର୍ଗେଟ କରିଥିଲେ। ଲୁଟେରା ଗୁଳି ମାଡ଼ରେ ଆହତ ସତ୍ତ୍ୱେ ରୋହିତ ଦୁର୍ବୃତ୍ତଙ୍କ ପିଛା କରିବା ସହ ମୁକାବିଲା ବି କରିଥିଲେ।










