ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବନ ବିଦ୍ୟାଳୟ ପରିସରରେ ଏହି ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଏହାର ମର୍ଯ୍ୟାଦାକୁ ବହୁଗୁଣିତ କରିବ । ଏହି ନୂତନ ବିଶ୍ୱବିଦ୍ୟାଳୟର ଡିଜାଇଇନ ସତ୍ୟବାଦୀ ବନ ବିଦ୍ୟାଳୟ ଢାଞ୍ଚାରେ କରାଯାଇଛି । ଏଠାରେ ଶାନ୍ତ, ସ୍ନିଗ୍ଧ ଓ ମୁକ୍ତ ପରିବେଶ ମଧ୍ୟରେ ଉତ୍ତମ ଶୈକ୍ଷିକ ଅନୁଭବ ପ୍ରଦାନର ଲକ୍ଷ୍ୟ ରଖାଯାଇଛି ।ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା କରିବାକ ବ୍ୟବସ୍ଥା ରହିବ । ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଇଥିବା ଡିଜାଇନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହାର ନିର୍ମାଣର ବିସ୍ତୃତ ଯୋଜନା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ।ଉତ୍କଳମଣିଙ୍କର ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ସ୍ୱାଧୀନତା ସଂଗ୍ରାମ ସମୟର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ । ବକୁଳ ଓ ଛୁରିଆନା ବୃକ୍ଷ ଛାୟାରେ ମୁକ୍ତ ପରିବେଶ ମଧ୍ୟରେ ଏହି ବିଦ୍ୟାଳୟ ଗଢ଼ି ଉଠିଥିଲା । ଏଥିରେ ଓଡ଼ିଶାର ବହୁ ବିଖ୍ୟାତ ବ୍ୟକ୍ତି ଅଧ୍ୟୟନ କରି ପରବର୍ତ୍ତୀ ସମୟରେ ରାଜ୍ୟର ଗୌରବକୁ ବୃଦ୍ଧି କରିଥିଲେ । ଏହାଥିଲା ଏକ ଆଦର୍ଶ ବିଦ୍ୟାଳୟ, ମଣିଷ ତିଆରି କାରଖାନା ।ସ୍ୱାଧୀନତା ଯୁଗର ପଞ୍ଚସଖା ଗୋପବନ୍ଧୁ ଦାସ, କୃପାସିନ୍ଧୁ ମିଶ୍ର, ହରିହରଦାସ, ପଣ୍ଡିତ ନୀଳକଣ୍ଠ ଦାସ ଏବଂ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପରି ଉତ୍କଳ ଜନନୀଙ୍କ ସୁଯୋଗ୍ୟ ସନ୍ତାନମାନଙ୍କ ମାର୍ଗ ଦର୍ଶନରେ ଦେଶଭକ୍ତି, ସେବା, ପ୍ରଜ୍ଞା ଓ ଜାତୀୟତାର ମହାନ ଶିକ୍ଷାନୁଷ୍ଠାନ ଭାବେ ଏହା ପ୍ରସିଦ୍ଧି ଲାଭ କରିଥିଲା । ସେହି ଐତିହାସିକ ବନ ବିଦ୍ୟାଳୟରେ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ନିଶ୍ଚିତ ଭାବେ ଏକ ଅନନ୍ୟ ଉଦ୍ୟମ ।ଓଡ଼ିଆ ଭାଷା ଷଷ୍ଠ ଭାରତୀୟ ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିଛି । ଓଡ଼ିଆ ଭାଷାର ଅତୀତ ଅତ୍ୟନ୍ତ ସମୃଦ୍ଧ । ଓଡ଼ିଆ ଭାଷାରେ ଅନେକ କାଳଜୟୀ ସାହିତ୍ୟ ସୃଷ୍ଟି ହୋଇଛି । ସତ୍ୟବାଦୀ ବନ ବିଦ୍ୟାଳୟରେ ସ୍ଥାପିତ ହେବାକୁ ଯାଉଥିବା ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷାକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିବା ପାଇଁ ଏକ ଅନନ୍ୟ ସୁଯୋଗ ।

ଡ଼ିଆ ଭାଷା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ସମ୍ପର୍କରେ ଉଚ୍ଚତର ଶିକ୍ଷା ପ୍ରଦାନ କରାଯିବା ସହିତ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଉଚ୍ଚତର ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରାଯିବ । ସାରା ଦେଶରେ ଓଡ଼ିଆ ଜାତିର ସ୍ୱତନ୍ତ୍ରତା ଏବଂ ଓଡ଼ିଆ ଭାଷାର ମହନୀୟତା ସମ୍ପର୍କରେ ଏହା ଏକ ଉଦାହରଣ ସୃଷ୍ଟି କରିବ ।

Leave a Reply

Your email address will not be published. Required fields are marked *