୧ଲକ୍ଷ ୭୦ହଜାର କୋଟିର ବଜେଟ୍‌

ଭୁବନେଶ୍ୱର:-ଆଜି ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୭୦ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ଏହି ବଜେଟର ଆକାର ୨୬% ଅଧିକ ରହିଛି।

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟକୁ ଉପସ୍ଥାପନ କରି ଏଥିରେ କନକଲ୍ୟାଣ, ପୁଞ୍ଜିନିବେଶ, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ରୂପାନ୍ତରଣ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି।ବଜେଟରେ ପ୍ରଶାସନିକ ଖର୍ଚ୍ଚ ୮୫ହଜାର କୋଟି, କାର୍ଯ୍ୟକ୍ରମ ଖର୍ଚ୍ଚ ୭୫ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ ୩୦୫୦କୋଟି ଓ ରାଜ୍ୟରୁ ହସ୍ତାନ୍ତର ହେଉଥିବା ପାଣ୍ଠି ୬୯୫୦କୋଟିକୁ ମିଶାଇ ମୋଟ ୧ଲକ୍ଷ ୭୦ହଜାର କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ଆକଳନ କରାଯାଇଛି।ବଜେଟରେ ବ୍ୟୟବରାଦ ଅର୍ଥକୁ ରାଜସ୍ୱ ପ୍ରାପ୍ତିରୁ ୧ଲକ୍ଷ ୨୫,୬୦୦କୋଟି ଟଙ୍କା, ଋଣ ଓ ଅନ୍ୟାନ୍ୟ ବାବଦରୁ ୪୪ହଜାର ୪୦୦କୋଟି ଟଙ୍କା ଭରଣା କରାଯିବାର ପ୍ରସ୍ତାବ ରଖିଛନ୍ତି। ଅବଶ୍ୟ ନିଟ୍ ଋଣ ପରିମାଣ ୧୮୪୬୫କୋଟି ଟଙ୍କା ରହିବ ବୋଲି ବଜେଟରେ ଉଲ୍ଲେଖ ଅଛି।

୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୧ଲକ୍ଷ ୨୫୬୦୦କୋଟି ଟଙ୍କାର ରାଜସ୍ୱ ମିଳିବ ବୋଲି ଆକଳନ କରାଯାଇଥିବାବେଳେ ଏଥିରେ ରାଜ୍ୟର ନିଜସ୍ୱ ଟିକସ ୩୭୫୦୦କୋଟି, ନିଜସ୍ୱ ଅଣଟିକସ ୨୦ହଜାରକୋଟି, କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ୩୦୧୩୭କୋଟି, ଜିଏସଟି କ୍ଷତିପୂରଣ ଓ ଅନୁଦାନ ବାବଦରେ ୩୭୯୬୩କୋଟି ଟଙ୍କା ରହିଛି।

ବଜେଟରେ ପୁଞ୍ଜି ବ୍ୟୟ ଅଟକଳ(କ୍ୟାପିଟାଲ ଆଉଟଲେ) ୨୫୭୮୮କୋଟି ଟଙ୍କା ରହିଛି ଯାହାକି ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୪.୪ ପ୍ରତିଶତ। ବିତ୍ତୀୟ ନିଅଣ୍ଟ ପରିମାଣ ମୋଟ ରାଜ୍ୟ ଜିଡିପିର ୩.୫ ପ୍ରତିଶତ ମଧ୍ୟରେ ସୀମିତ ରହିବ ବୋଲି ଆକଳନ କରାଯାଇଥିବାବେଳେ ଋଣ ପରିମାଣ ରାଜ୍ୟର ମୋଟ ଘରୋଇ ଉତ୍ପାଦର ୨୦.୯ ପ୍ରତିଶତ ହେବ।

ସେହିପରି ୧୯୯୯-୨୦୦୦ ମସିହାରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟର ବଜେଟ ଆକାର, ରାଜ୍ୟ ଜିଡିପିର ୧୬%ରୁ ୨୬ ପ୍ରତିଶତକୁ ବୃଦ୍ଧି ପାଇଛି। କରୋନା ମହାମାରୀ ସତ୍ତ୍ୱେ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ନିଜସ୍ୱ ରାଜସ୍ୱ ୧୦ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆକଳନ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜସ୍ୱ ବଳକା ୨୩୩୬କୋଟି ଟଙ୍କା ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *