ବାର୍ଷିକ ସମ୍ପତ୍ତି ତାଲିକା ଦେଲେନି ୨୦ ଆଇଏଏସ୍ ଓ ୧୫ ଆଇପିଏସ୍

ଭୁବନେଶ୍ୱର:-ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଡ଼ା ନିୟମ ସତ୍ତ୍ୱେ ସର୍ବଭାରତୀୟ ସେବାର ଅଧିକାରୀମାନେ ସେଥିପ୍ରତି ସାମାନ୍ୟ ଗୁରୁତ୍ୱ ଦେଉନାହାନ୍ତି। ଯେଉଁ ଅଫିସର ଜାନୁୟାରୀ ୩୧ତାରିଖ ସୁଦ୍ଧା ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିବେ ନାହିଁ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଏହା ପର୍ଯ୍ୟାପ୍ତ କାରଣ ହେବ ବୋଲି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଚେତାବନୀ ସତ୍ତ୍ୱେ ଓଡ଼ିଶା କ୍ୟାଡ଼ରର ୨୦ଜଣ ଆଇଏଏସ ଓ ୧୫ଜଣ ଆଇପିଏସ ଅଫିସର ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିନଥିବା ଜଣାପଡ଼ିଛି।ସର୍ବଭାରତୀୟ ସେବା(ସର୍ତ୍ତାବଳୀ) ନିୟମ-୧୯୬୮ର ଧାରା ୧୬(୨)ର ପ୍ରାବଧାନ ଅନୁସାରେ ସର୍ବଭାରତୀୟ ସେବାର ପ୍ରତ୍ୟେକ ଅଫିସରଙ୍କୁ ଜାନୁୟାରୀ ୩୧ତାରିଖ ସୁଦ୍ଧା ଅନଲାଇନରେ ନିଜର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିବାକୁ ପଡ଼ିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡିସେମ୍ବର ମାସରେ ମଧ୍ୟ ମୁଖ୍ୟ ସଚିବଙ୍କ ନିକଟକୁ ଏକ ରିମାଇଣ୍ଡର ପଠାଯାଇଥିଲା। ମାତ୍ର ଏହା ସତ୍ତ୍ୱେ ରାଜ୍ୟର ୨୦ଜଣ ଆଇଏଏସ ଅଫିସର ଓ ୧୫ଜଣ ଆଇପିଏସ ଅଫିସର ଧାର୍ଯ୍ୟ ସମୟସୀମା ମଧ୍ୟରେ ନିଜର ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି।କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଯେଉଁ ଆଇପିଏସ ଅଫିସରମାନେ ନିଜର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି ସେମାନଙ୍କ ମଧ୍ୟରେ ବରିଷ୍ଠ ଆଇଏଏସ ସିଜେ ବେଣୁଗୋପାଳ,ରାଜେଶ ପ୍ରଭାକର ପାଟିଲ, ପ୍ରତାପ ଚନ୍ଦ୍ର ଦାଶ, ରତ୍ନାକର ରାଉତ, ସ୍ମୃତିରଞ୍ଜନ ପ୍ରଧାନ,ବୃନ୍ଦାବନ ବେହେରା, ଏମ୍ .ମୁଥୁକୁମାର, ଭି.ଜୟ କୁମାର, ସୁରେନ୍ଦ୍ର କୁମାର ମୀନା, କୁଲେଙ୍ଗ ବିଜୟ, ମଧୁସ୍ମିତା ସାହୁ, ଲଗ୍ନଜିତ୍ ରାୟ, ସାକ୍ତ୍ୟ କ୍ରିଷ୍ଣନ୍ , ବି ସିଦ୍ଧେଶ୍ୱର ବାଲିରାମ ଓ ବିଭୂତିଭୂଷଣ ନାୟକ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିନାହାନ୍ତି।
ସେହିପରି ସମ୍ପତ୍ତି ବିବରଣୀ ଦାଖଲ କରିନଥିବା ଆଇପିଏସ ଅଫିସରଙ୍କ ମଧ୍ୟରେ ପ୍ରଦୀପ କୁମାର, ଏସକେ ବଂଶଲ, ସତ୍ୟଜିତ ମହାନ୍ତି, ବିନୟାନନ୍ଦ ଝା, ଅରୁଣ କୁମାର ରାୟ, ଅନୁପ କ୍ରିଷ୍ଣା, ସ୍ୱପ୍ନା ତିୱାରୀ, ସୁନୀତା କାକରନ୍ , ଏନବି ଭାରତୀ, ଅମିତେନ୍ଦ୍ର ସିହ୍ନା,ନୀତେନଜିତ୍ ସିଂ, ଅମିତ୍ରା ଦାଶ, ପାରୁଲ ଗୁପ୍ତା, ଆଶୀଷ କୁମାର ସିଂ(୨୦୧୦ ବ୍ୟାଚ),ସଞ୍ଜିବ ଅରୋରା ପ୍ରମୁଖ ବାର୍ଷିକ ସମ୍ପତ୍ତି ଦାଖଲ କରିନଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *