ଘୋଷଯାତ୍ରା: ଶ୍ରୀପଞ୍ଚମୀରେ ଅନୁକୂଳ ହେଲା ରଥ କାଠ

ପୁରୀ:-ଆଜି ପବିତ୍ର ଶ୍ରୀପଞ୍ଚମୀ ଅବସରରରେ ଆସନ୍ତା ରଥଯାତ୍ରା ପାଇଁ ରଥକାଠ ସଂଗ୍ରହର ହୋଇଛି ଅନୁକୂଳ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରଥଖଳାରେ ୩ ଟି ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମା ସରସ୍ୱତୀଙ୍କ ପୂଜା ପରେ ଏହି କାଠ ଗୁଡ଼ିକ ସଂସ୍କାର ଓ ପୂଜାର୍ଚ୍ଚନା ସହ ରଥକାଠ ଅନୁକୂଳ ଆରମ୍ଭ ହୋଇଥିଲା।

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପରମ୍ପରା ଅନୁଯାୟୀ ଆଜି ପବିତ୍ର ଶ୍ରୀପଞ୍ଚମୀରେ ରଥକାଠ ପୂଜା ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିରଥ ପାଇଁ ତିନିଖଣ୍ତ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରଥମେ ବାଗଦେବୀଙ୍କ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାରିକେଡ଼ିଂ କରାଯାଇ ଚୁନପାଣି ପଡ଼ି ପବିତ୍ର କରାଯିବା ପରେ ତିନୋଟି ଧଉରା କାଠର ମାଜଣା କରାଯାଇଥିଲା। ଏହାପରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା କାଠତ୍ରୟର ପୂଜାର୍ଚ୍ଚନା ହୋଇଥିଲା।

ତେବେ ଏହି କାଠରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥର ଗୁଜ ଅନୁକୂଳ କରାଯିବ। ଶ୍ରୀମନ୍ଦିର ପ୍ରଶାସନ, ରଥକାଠ ତତ୍ତ୍ୱାବଧାରକ, ଭୋଇ ସର୍ଦ୍ଧାର ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ପ୍ରାୟ ଏକ ଘଣ୍ଟା ଧରି ପୂଜାର୍ଚ୍ଚନା ପରେ ରଥକାଠ ଅନୁକୂଳ ହୋଇଥିଲା। ରଥନିର୍ମାଣ ପାଇଁ ୮୬୫ ଖଣ୍ତ କାଠ ଆବଶ୍ୟକ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ ବନଖଣ୍ତରୁ ମୋଟ ୪୯ ଖଣ୍ତ ରଥକାଠ ପୁରୀ ଆସି ସାରିଛି। ପୂର୍ବ ବର୍ଷର ୬୯ ଖଣ୍ତ କାଠ ଗଛିତ ଥିବା ବେଳେ ଆଜି ରଥକାଠ ଅନୁକୂଳ ପରେ ବିଭିନ୍ନ ପର୍ଯ୍ୟାୟରେ ସର୍ବମୋଟ ୭୯୬ ଖଣ୍ତ ରଥକାଠ ଆସିବ। ପ୍ରତିବର୍ଷ ରଥଯାତ୍ରା ପାଇଁ ସରସ୍ୱତୀ ପୂଜାରୁ ହିଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହେଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟା ଦିନ ରଥକାର୍ଯ୍ୟ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *