କ୍ଷୀର ବିକିବା ପାଇଁ କୃଷକ କିଣିଲେ ହେଲିକପ୍ଟର
ଗୋହାଟି:-ଜଣେ କୃଷକ ଦୁଗ୍ଧ ବିକ୍ରି କରିବା ପାଇଁ ହେଲିକପ୍ଟର କିଣିବା ଘଟଣାକୁ ନେଇ ଚର୍ଚ୍ଚା ଜର୍ ଧରିଛି । ଏହି ଘଟଣା ଭିମ୍ବଡିର ହୋଇଥିବା ଜଣାପଡ଼ିଛି । ସେଠାକାର ବାସିନ୍ଦା ଜନାର୍ଦ୍ଦନ ଭୋଇର୍ ଜଣେ କୃଷକ ହୋଇଥିବା ବେଳେ ସେ କ୍ଷୀର ବ୍ୟବସାୟ କରିଥାନ୍ତି । ଏହି ବ୍ୟବସାୟ ଲାଗି ତାଙ୍କୁ ବହୁବାର ଦେଶର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଯିବାକୁ ପଡ଼ିଥାଏ । ତେଣୁ ସେ ହେଲିକପ୍ଟର କିଣିଛନ୍ତି ଏବଂ ଏଥର ସେ କ୍ଷୀର ବ୍ୟବସାୟରେ ଏହାକୁ ବ୍ୟବହାର କରିବେ ବୋଲି କହିଛନ୍ତି ।
ଜନାର୍ଦ୍ଦନ ବିଲବାଡ଼ି କାମ କରିବା ସହିତ ଏହି ବ୍ୟବସାୟ କରିଥାନ୍ତି । ଏହି ବ୍ୟବସାୟ ପାଇଁ ବିଭିନ୍ନ ସ୍ଥାନକୁ ଯାଉଥିବାରୁ ତାଙ୍କର ଅନେକ ସମୟ ଯାତ୍ରାରେ କଟିଥାଏ । ଏହାକୁ କମ୍ କରିବା ପାଇଁ ସେ ଏହା କିଣିଥିବା କହିଛନ୍ତି । ବର୍ତ୍ତମାନ ସେ ଏହାକୁ କେତେଥର ଟ୍ରାଏଲ୍ରେ ମଧ୍ୟ ନେଇଛନ୍ତି । କ୍ଷୀର ବ୍ୟବସାୟ ଛଡ଼ା ତାଙ୍କର ଜମିଜମା କିଣାବିକାର ବ୍ୟବସାୟ ମଧ୍ୟ ରହିଛି ।
ଜନାର୍ଦ୍ଦନଙ୍କ କହିବା ମୁତାବକ, ଡାଏରୀ ଫାର୍ମିଂ ପାଇଁ ସେ ପଞ୍ଜାବ, ଗୁଜୁରାଟ, ହରିୟାଣା, ରାଜସ୍ଥାନ ଆଦି ସ୍ଥାନକୁ ଯାଇଥାନ୍ତି । ତେବେ ସେ ଏହି ହେଲିକପ୍ଟର ୩୦ କୋଟି ଟଙ୍କା ଦେଇ କିଣିଥିବା କହିଛନ୍ତି । ଏଥିପାଇଁ ସେ ଘର ପାଖରେ ହିଁ ହେଲିପ୍ୟାଡ୍ର ନିର୍ମାଣ କରିଛନ୍ତି । ଏହା ସହିତ ସେ ପାଇଲଟ୍ ରୁମ୍, ଟେକ୍ନିସିଆନ୍ ରୁମ୍ର ମଧ୍ୟ ନିର୍ମାଣ କରିଛନ୍ତି । ତାଙ୍କ ପାଖରେ ଥିବା ୨.୫ ଏକର ଜାଗାରେ ପାଚିରୀ କରି ହେଲିକପ୍ଟର ରଖିବେ ବୋଲି ସେ କହିଛନ୍ତି । ତେବେ ତାଙ୍କର ହେଲିକପ୍ଟର କିଣାକୁ ନେଇ ସେ ଅଞ୍ଚଳରେ ଜନାର୍ଦ୍ଦନ ଏବେ ଚର୍ଚ୍ଚାରେ ରହିଛନ୍ତି ।