ଅର୍ଥ ହେର୍ଫେର୍ ମାମଲାରେ ବନ୍ଧା ହେଲେ ବଲିଉଡ୍ର ସଚିନ୍ ଜୋସି
ମୁମ୍ୱାଇ:-ବଲିଉଡ୍ ଅଭିନେତା ତଥା ମୁମ୍ୱାଇର ଜଣେ ଜଣାଶୁଣା ବ୍ୟବସାୟୀ ସଚିନ୍ ଜୋସିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଗିରଫ କରିଛି । ଅର୍ଥ ହେର୍ଫେର୍ ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ମୁମ୍ୱାଇର ପ୍ରତିଷ୍ଠିତ ବିଲ୍ଡର୍ କମ୍ପାନୀ ଓମ୍କାର ଡେଭ୍ଲପରର ବ୍ୟବସାୟରେ ୧୦୦ କୋଟି ଟଙ୍କାରର ଅର୍ଥ ହେର୍ଫେର୍ ଘଟଣାକୁ ନେଇ ଜୋସିଙ୍କୁ ଇଡି ଦୁଇ ଦିନ ହେବ ଜେରା କରି ଆସୁଥିଲା । ଯାହାକୁ ନେଇ ପୋଲିସ୍ ତାଙ୍କ ବିରୋଧରେ ଅର୍ଥ ହେର୍ଫେର୍ ନିବାରଣ ଆଇନ୍ ଅନୁସାରେ ବିଭିନ୍ନ ଧାରା ଲଗାଇବା ସହିତ ତାଙ୍କୁ କୋର୍ଟରେ ହାଜର କାରାଇଛି । ଇନ୍କମ୍ ଟ୍ୟାକ୍ସ ବିଭାଗ ମଧ୍ୟ ତାଙ୍କ ଘରେ ରେଡ୍ କରିଥିବା ଜଣାପଡ଼ିଛି ।
ମାର୍ଚ୍ଚ ମାସ ୨୦୨୦ରେ ଓମ୍କାର ଗ୍ରୁପ୍ ବିରୋଧରେ ଔରଙ୍ଗାବାଦ୍ ପୋଲିସ୍ ଅର୍ଥ ହେର୍ଫେର୍ ମାମଲା ରୁଜୁ କରିଥିଲା । ଏଥି ସହିତ ଲୋକଙ୍କ ବିଶ୍ୱାସ ଭାଙ୍ଗିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଏଥିରେ ଅଭିନେତା ତଥା ବ୍ୟବସାୟୀ ସଚିନ୍ ଜୋସି ସାମିଲ୍ ଥିବା ପୋଲିସ୍ ଜାଣିବାକୁ ପାଇଥିଲା । ଓମ୍କାର ଗ୍ରୁପ୍ ଆଗରୁ କିଛି କମ୍ପାନୀଙ୍କ ଠାରୁ ଋଣ ଆଣିଥିଲା ଏବଂ ଟଙ୍କା ସୁଝି ପାରିନଥିଲା ।
ପଳାତକ ଘୋଷିତ ଅପରାଧୀ ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଭିଲ୍ଲାକୁ ୭୩.୦୧ କୋଟିରେ କିଣିବା ପାଇଁ ଯୋଶୀଙ୍କ ଚର୍ଚ୍ଚାରେ ରହିଥିଲା । ଯୋଶୀଙ୍କ ୱେବସାଇଟ୍ ତାଙ୍କୁ ଭିକିଙ୍ଗ ମିଶନ ପଛରେ ଥିବା ବ୍ୟକ୍ତି, ଉଦ୍ୟୋଗୀ, ବ୍ୟବସାୟୀ, ଅଭିନେତା, କ୍ରୀଡା ପ୍ରେମୀ, ଫ୍ରାଞ୍ଚାଇଜ୍ ଏବଂ ଦଳର ମାଲିକ ତଥା ଚଳଚ୍ଚିତ୍ର ନିର୍ମାତା ଭାବରେ ଦର୍ଶାଉଥିବା ଦେଖିବାକୁ ମିଳିଛି ।
ଅଭିନେତା ତଥା ନିର୍ମାତା ଯୋଶୀ ଟଲିଉଡ ଏବଂ ବଲିଉଡରେ କାମ କରିସାରିଛନ୍ତି । ଯୋଶୀ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଅନେକ ଚଳଚ୍ଚିତ୍ରରୋ ଅଭିନୟ କରିଛନ୍ତି । ସେ ୨୦୧୩ର ଚଳଚ୍ଚିତ୍ର ଜ୍ୟାକପଟରେ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେ ସନି ଲିଓନ ଏବଂ ନାସିରୁଦ୍ଦିନ ଶାହାଙ୍କ ବିପକ୍ଷରେ ନଜର ଆସିଥିଲେ । ନିକଟରେ ଚଳଚ୍ଚିତ୍ର ଅମାବାସ୍ ରେ ସେ ଅଭିନୟ କରିଛନ୍ତି ।