ବଦଳିଲା କିଙ୍ଗ୍ସ ଏକାଦଶ ପଞ୍ଜାବର ନାମ
ନୂଆଦିଲ୍ଲୀ:-ଇଣ୍ଡିଆନ ପ୍ରିମିୟର ଲିଗ୍ର ଦଳ କିଙ୍ଗ୍ସ ଏକାଦଶ ପଞ୍ଜାବ ନିଜର ନାମ ପରିବର୍ତ୍ତନ କରିଛି। ଏବେ ନୂତନ ସିଜିନ୍ରେ ଦଳ ‘ପଞ୍ଜାବ କିଙ୍ଗ୍ସ’ ନାମରେ ପରିଚିତ ହେବ। କିଙ୍ଗ୍ସ ଏକାଦଶ ପଞ୍ଜାବ ଆଇପିଏଲ ସେହି ଆଠଟି ଦଳରେ ସାମିଲ ଯିଏ ୟୁଏଇରେ ଗତ ସଂସ୍କରଣ ଖେଳିଥିଲା।
ବିସିସିଆଇର ସୂତ୍ର ଅନୁଯାୟୀ, ଦଳ ଦୀର୍ଘ ସମୟରୁ ନାମ ବଦଳାଇବା କଥା ଚିନ୍ତା କରୁଥିଲା। ତେଣୁ ଦଳ ଆଗାମୀ ସଂସ୍କରଣ ପୂର୍ବରୁ ନାମ ପରିବର୍ତ୍ତନ କରିବାକୁ ଉଚିତ୍ ମଣିଥିଲା। ଏହା ଅଚାନକ ନିଆଯାଇଥିବା ନିଷ୍ପତ୍ତି ନୁହେଁ ବୋଲି ବିସିସିଆଇ କହିଛି।
ମୋହିତ ବର୍ମନ, ନେସ୍ ଓ୍ଵାଡିଆ, ପ୍ରୀତି ଜିଣ୍ଟା ଓ କରଣ ପଲ୍ଙ୍କ ଟିମ୍ ଏ ପର୍ଯ୍ୟନ୍ତ ଥରୁଟିଏ ମଧ୍ୟ ଆଇପିଏଲ ଟ୍ରଫି ଜିତି ପାରି ନାହିଁ। ଦଳ ଥରୁଟିଏ ଉପ ବିଜେତା ରହିଛି। ଏବଂ ଥରେ ତୃତୀୟ ସ୍ଥାନରେ ରହିଛି। ଆଗାମୀ ଆଇପିଏଲ ସଂସ୍କରଣ ଏପ୍ରିଲରେ ଆରମ୍ଭ ହୋଇଛି ଓ ଏହାର ନିଲାମୀ ଗୁରୁବାର ହେବ।
ସୂଚନାଯୋଗ୍ୟ, ୨୦୨୧ ଆଇପିଏଲ ନିଲାମୀରେ କିଙ୍ଗ୍ସ ଏକାଦଶ ପଞ୍ଜାବ ସବୁଠୁ ଅଧିକ ଖେଳାଳି କିଣିବ। ଦଳ ପାଖରେ ସର୍ବାଧିକ ୫୩.୨୦ କୋଟି ଟଙ୍କା ରହିଛି। ଏହା ପରେ ରୟାଲ ଚ୍ୟାଲେଞ୍ଜର୍ସ ପାଖରେ ୩୫.୯୦ କୋଟି ଟଙ୍କା ରହିଛି।