ରାଜଧାନୀରେ ଲୋମଟାଙ୍କୁରା ଦୃଶ୍ୟ, ବୁଦା ମୁଳରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଜବତ
ଭୁବନେଶ୍ୱର:-ଭୁବନେଶ୍ବରରେ ଦେଖିବାକୁ ମିଳିଛି ଲୋମଟାଙ୍କୁରା ଦୃଶ୍ୟ । ବୁଦା ମୁଳରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିବା ବେଳେ ଏକ ଛୁରୀ, ୪ଟି ଗ୍ଲୋବସ ଓ ମଦ ବୋତଲ ଜବତ କରିଛି ପୋଲିସ। ସେପଟେ ମୃତ ଦେହରେ ମୁଣ୍ଡ ନଥିବାରୁ ମହିଳାଙ୍କ ପରିଚୟ ଯୋଗାଡ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏପର୍ଯ୍ୟନ୍ତ ମୃତକଙ୍କ ମୁଣ୍ଡ ମିଳିପାରିନଥିବା ବେଳେ ହାତରେ ଓମ୍ ଥିବା ଏକ ଟାଟୁ ରହିଥିବା ଜଣାପଡିଛି ।
ସୂଚନା ମୁତାବକ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁରରୁ ରାସ୍ତାକଡ଼ ବୁଦାମୁଳରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଦେହ ମିଳିବା ପରେ ପୁରା ଅଞ୍ଚଳକୁ ସିଲ୍ କରି ରାସ୍ତାକଡ଼ ଜଙ୍ଗଲ ଭିତରେ ମହିଳାଙ୍କ ମୁଣ୍ଡ ଖୋଜିବାରେ ଲାଗିଛି ପୋଲିସ । ମହିଳାଙ୍କ ବେକକୁ ଛୁରୀରେ କାଟି ମୁଣ୍ଡ ଗଣ୍ଡି ଅଲଗା କରିଦିଆ ଯାଇଥିବା ଅନୁମାନ କରାଯାଉଛି । ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି । ଘଟଣାସ୍ଥଳରୁ ଛୁରୀ, ୪ଟି ଗ୍ଲୋବସ ଓ ମଦ ବୋତଲ ମଧ୍ଯ ଜବତ ହୋଇଛି । ଯାହା ଅନୁମାନ କରୁଛି କି ଜବତ ଛୁରୀରେ ହିଁ ମହିଳାଙ୍କ ମୁଣ୍ଡ କଟାଯାଇଛି । ଏହି ହତ୍ୟାକାଣ୍ଡ ଓଡିଶା ବାୟୋଟେକ ପାର୍କ ନିକଟରେ ଘଟିଥିବାବେଳେ ପାର୍କର କର୍ମଚାରୀଙ୍କୁପଚରାଉଚରା କରିଛି ଚନ୍ଦକା ପୋଲିସ ।
କିନ୍ତୁ ପ୍ରଶ୍ନ ଉଠୁଛି, କିଏ କାଟି ନେଲା ମହିଳାଙ୍କ ମୁଣ୍ଡ । ମୁଣ୍ଡବିହୀନ ମୃତ ମହିଳାଙ୍କ ପରିଚୟ କଣ । ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାରେ କିଏ ସଂଶ୍ଲିଷ୍ଟ । ସେପଟେ ମହିଳାଙ୍କ ଡାହାଣ ହାତରେ ଥିବା ଓମ୍ ଚିତା ମହିଳାଙ୍କ ପରିଚୟ ଖୋଜିବାରେ ସହାୟକ ହୋଇପାରିବ । ଅନ୍ୟପଟେ ପରିଚୟ ସ୍ପଷ୍ଟ କରିବା ସହ ଘଟଣାସ୍ଥଳରେ ଡଗ ସ୍କ୍ବାଡ ପହଞ୍ଚି ତନାଘନା ଚଳାଇଛି । ସେହିପରି ମୃତଦେହ ଜବତ ହୋଇଥିବା ସ୍ଥାନର ୪ଶହ ମିଟର ଦୂରରେ ଏକ ଗଛରେ ଲୁଗା ବ୍ୟାଗକୁ ମଧ୍ୟ ଜବତ କରିଛି ପୋଲିସ । ତେଣୁ ମହିଳାଙ୍କୁ ଅନ୍ୟ ସ୍ଥାନରେ ହତ୍ୟା ପରେ ଏଠାରେ ମୃତଦେହ ଫିଙ୍ଗାଯାଇଥିବା ମଧ୍ୟ ସନ୍ଦେହ ଦୃଢିଭୂତ କରୁଛି ।