ଭାଲେଣ୍ଟାଇନ ଡେ’ ନାଁରେ ଲୁଟ୍,ଅଫର ଦେଇ ଯୁବାବର୍ଗଙ୍କୁ ଲୁଟୁଛନ୍ତି ସାଇବର ଲୁଟେରା
ଭୁବନେଶ୍ୱର: -ଯୁବବର୍ଗଙ୍କୁ ଟାର୍ଗେଟ କଲେ ସାଇବର ଅପରାଧୀ । କେତେବେଳେ ତାଜ ହୋଟେଲ ନାଁରେ ତ ପୁଣି କେତେବେଳେ ଟାଟା କମ୍ପାନୀ ନାଁରେ ଜାଲ ବିଛାଉଛନ୍ତି ସାଇବର ଠକ । ପୁଣି ଥରେ ଭାଲେଣ୍ଟାଇନ ଡେ’ ନାଁରେ ଲୁଟ୍ । ପ୍ରେମ ସପ୍ତାହକୁ ଚାହିଁ ବସିଛନ୍ତି ପ୍ରେମୀ ଯୁଗଳ । ପରସ୍ପରକୁ ଉପହାର ଦେବା ପାଇଁ କେତେ କଣ ଯୋଜନା ବି ହୋଇଛି । ଏହି ସମୟରେ ଯୁବବର୍ଗଙ୍କୁ ଲୁଟିବା ପାଇଁ ନୂଆ ଜାଲ ବିଛାଇଛନ୍ତି ସାଇବର ଅପରାଧୀ । ‘୭ ଦିନ ମାଗଣାରେ ତାଜ୍ ହୋଟେଲରେ ବିତାଇ ପାରିବେ’ । ଏଭଳି ମନଲୋଭା ଅଫର ମିଳୁଛି । କେବଳ ଏତିକି ନୁହଁ ନିଜର ପ୍ରିୟଜନଙ୍କୁ ଆପଣ ଗିଫ୍ଟ ଦେବା ପାଇଁ ମାଗଣା ମୋବାଇଲ ଯୋଗାଇବାକୁ ପ୍ରଲୋଭିତ କରୁଛି ଠକ । ଏଥିପାଇଁ ଗୋଟିଏ ଲିଙ୍କ୍ କ୍ଲିକ କରିବାକୁ ମେସେଜ୍ ଆସୁଛି । ଲିଙ୍କ୍ରେ କ୍ଲିକ୍ କରିବା ପରେ ସହଜ ପ୍ରଶ୍ନର ଉତର ଦେବାକୁ ପଡୁଛି । ଏହାପରେ ୫ ଜଣଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । ଏହି ମେସଜ୍ ପଠାଇବା ବେଳେ ଆପଣଙ୍କ ଠାରୁ ଡାଟା ଚୋରୀ କରି ଆପଣଙ୍କ ଆକାଉଣ୍ଟ ଖାଲି କରୁଛି ସାଇବର ଠକ ।ଠିକ୍ ସେହିଭଳି ଏକ ଠକାମୀ ଘଟଣା ସାମ୍ନାକୁ ଆସିଛି କେସିଙ୍ଗାରୁ । ମୋବାଇଲରେ ଥିବା ଟେଲି ଆପ୍ଲିକେସନ୍ ସଂପର୍କ ଅଧିକ ସୂଚନା ନେବା ପାଇଁ ଏକ କଷ୍ଟମର କେୟାରକୁ କଲ କରି ଫସିଗଲେ କେସିଙ୍ଗାର ବ୍ୟବସାୟୀ ନାରାୟଣ ଅଗ୍ରଓ୍ୱାଲ । ସାଇବର ଅପରାଧୀଙ୍କ ହାବୁଡରେ ପଡିଗଲେ ନାରାୟଣ । ଏନି ଡେସ୍କ ଆପ୍ଲିକେସନ ଡାଉନଲୋଡ କରିବାକୁ କହିଥିଲେ ଠକ । ଏହାକୁ ଡାଉନ୍ଲୋଡ୍ କରବା ମାତ୍ରେ ପ୍ରଥମ ଥର ୯୯ ହଜାର ଓ ପରେ ୨୦ ହଜାର ଲେଖାଏଁ ୪ ଥର ତାଙ୍କ ଆକାଣ୍ଟରୁ ଟଙ୍କା ଗାଏବ କରିନେଲେ ଅଭିଯୁକ୍ତ । ଏନେଇ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ ସହିତ ବ୍ରହ୍ମପୁର ସାଇବର କ୍ରାଇମ ସେଲରେ ମଧ୍ୟ ଅଭିଯୋଗ କରିଛନ୍ତି ନାରାୟଣ ।