WHOର ଚେତାବନୀ, କରୋନା ଭାଇରସ୍‌ର ବିପଦ କେବେ ବି ଶେଷ ହୋଇନପାରେ

ନ୍ୟୁୟର୍କ:-ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଆଶଙ୍କା କରିଛି ଯେ କରୋନା ଭାଇରସ୍ ଜନିତ ରୋଗ ଏପରି ହୋଇପାରେ ଯାହା କେବେ ଶେଷ ହେବ ନାହିଁ। କରୋନା ଭାଇରସ୍ ସମ୍ପ୍ରଦାୟ ମଧ୍ୟରେ ସେହିପରି ରହିପାରେ, ଯାହା ଭବିଷ୍ୟତରେ କେବେ ବି ଶେଷ ହୋଇନପାରେ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସ୍ବାସ୍ଥ୍ୟ ଜରୁରୀକାଳୀନ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡକ୍ଟର ମାଇକେଲ ରିୟାନ୍ କହିଛନ୍ତି ଯେ, ଯେପରି ଏଚଆଇଭି ଶେଷ ହୋଇପାରିଲା ନାହିଁ, ସେହିପରି କରୋନା ଭାଇରସ୍ ମଧ୍ୟ ଆମ ମଧ୍ୟରେ ରହିପାରେ। ରିୟାନ୍ କହିଛନ୍ତି, ଆମେ ଏପରି ଉପାୟ ପାଇଛୁ ଯେ ଏଚଆଇଭି ରୋଗୀମାନେ ମଧ୍ୟ ଅଧିକ ଦିନ ସୁସ୍ଥ ଏବଂ ଜୀବନ୍ତ ରହିପାରିବେ। ସେ କହିଛନ୍ତି ଯେ, କରୋନା ଭାଇରସ୍ ବିଷୟରେ ଆମକୁ ବାସ୍ତବବାଦୀ ହେବାକୁ ପଡିବ । କାରଣ ଏହି ରୋଗ କେବେ ଶେଷ ହେବ ତାହା ଆମେ ଜାଣିନାହୁଁ।

ଡକ୍ଟର ରିୟାନ୍ କହିଛନ୍ତି ଯେ, ଯଦି ଆମେ କରୋନା ଭାଇରସ୍ ର ଏକ ପ୍ରଭାବଶାଳୀ ଟୀକା ବିକଶିତ କରୁ, ଯାହା ବିଶ୍ବର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମିଳିପାରିବ ଯେଉଁମାନଙ୍କୁ ଏହାର ଆବଶ୍ୟକତା ରହିଛି । ତେବେ ସମ୍ଭବତଃ ଏହି ଭାଇରସ୍ ଶେଷ ହୋଇପାରେ। ଏହି ଟୀକା କେବେ ଓ କିପରି ଉଦ୍ଭାବନ ହେବ ସେ ବିଷୟରେ ସେ କିଛି କହି ନାହାଁନ୍ତି।

ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଡନୋମ୍ କହିଛନ୍ତି ଯେ, କରୋନା ଭାଇରସ୍ ମହାମାରୀ ଶେଷ ହେବା ପାଇଁ ସମୟ ଲାଗିବ। ମହାମାରୀକୁ ଦୃଷ୍ଟିରେ ରଖି ସେ ଶିଶୁମାନଙ୍କ ପାଇଁ ଚିନ୍ତା ପ୍ରକଟ କରିଥିଲେ। ଟେଡ୍ରୋସ ଆଡନୋମ୍ କହିଛନ୍ତି, କୋଭିଡ -୧୯ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହି ମହାମାରୀର ପ୍ରଭାବ ଅନ୍ୟ ସ୍ବାସ୍ଥ୍ୟ ସେବା ଉପରେ ପଡୁଛି । ଯାହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ  ଚିନ୍ତିତ ଅଟେ । 

Leave a Reply

Your email address will not be published. Required fields are marked *