ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୧ ଚଳିତ ବର୍ଷ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆଜି ସନ୍ଧ୍ୟା ୬ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟନ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବ ଭାରତର ସବୁଠାରୁ ବୃହତ ଏହି ମେଳା ଏକ ଅସାଧାରଣ ପରିସ୍ଥିତିରେ ଅନୁଷ୍ଠିତ ହେଉଛି । ତେଣୁ ସମସ୍ତଙ୍କୁ କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ଓଡ଼ିଶା କଳା ଓ ସଂସ୍କୃତିର ଭୂମି ଏବଂ ଓଡ଼ିଆ କାରିଗର କୋଣାର୍କ ପରି ବିସ୍ମୟ ସୃଷ୍ଟି କରିପାରେ ତଥା ଆମ କାରିଗରମାନଙ୍କର ଦକ୍ଷତାର ତୁଳନା ନାହିଁ । ଏଥି ସହିତ ସେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପାଉଥିବା କାରିଗରଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ । ଉଦ୍ଘାଟନୀ ସଭାରେ ଉପସ୍ଥିତ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ମେଳାରେ ଭାଗନେଇଥିବା ହସ୍ତଶିଳ୍ପ କାରିଗର ଓ ବୁଣାକାରମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତେ କୋଭିଡ୍ ନିୟମକୁ ଅନୁପାଳନ କରି ମେଳାକୁ ସଫଳ କରିବା ପାଇଁ ନିବେଦନ କରିଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗଦାନ କରି ତୋଷାଳି ମେଳାର ମହତ୍ତ୍ୱ ବର୍ଣ୍ଣନା କରିବା ସହିତ ବୁଣାକାର ଓ କାରିଗରମାନଙ୍କୁ ଉତ୍ସାହିତ କରିଥିଲେ ।
ବିଭାଗୀୟ ଶାସନ ସଚିବ ଶୁଭା ଶର୍ମାଙ୍କ ସହିତ ନିର୍ଦ୍ଦେଶକ, ବୟନ ଓ ହସ୍ତଶିଳ୍ପ ଜ୍ୟୋତିପ୍ରକାଶ ଦାସ, ନିର୍ଦ୍ଦେଶକ, ହସ୍ତଶିଳ୍ପ ଓ ଅନ୍ୟ ପଦାଧିକାରୀ ଯୋଗଦାନ କରିଥିଲେ । ସଭାରେ ଉପସ୍ଥିତ ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ସିଡ଼ାକ୍ର ସଭ୍ୟସଚିବ କୈଳାସ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ । ସଭାରେ ତିନିଜଣଙ୍କୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୧୯ ପ୍ରଦାନ କରାଯାଇଥିଲା । ୬ ଜଣଙ୍କୁ କଳାକୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ମେଳା ଜାନୁଆରୀ ୨୧ରୁ ଆରମ୍ଭ ହୋଇ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ୧୫ ଦିନ ବ୍ୟାପୀ ହେବାକୁ ଥିବା ଏହି ମେଳାରେ ୨୫୦ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ଷ୍ଟଲ ଖୋଲାଯାଇଛି । ରାଜ୍ୟର ପ୍ରାୟ ୧୭୦ ଏବଂ ବାହାର ରାଜ୍ୟର ପ୍ରାୟ ୮୦ ଜଣ ହସ୍ତଶିଳ୍ପୀ ଓ ବୁଣାକାର ଯୋଗଦେଇଛନ୍ତି । କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ତଥା ପରିଦର୍ଶକମାନଙ୍କ ସମାବେଶକୁ ଏଡ଼େଇବା ପାଇଁ ମେଳାରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନିତ କରାଯାଇନାହିଁ । ମେଳାକୁ ପ୍ରବେଶ କରୁଥିବା ସମସ୍ତ ଦର୍ଶକଙ୍କର କୋଭିଡ୍ ନିୟମ ଅନୁଯାୟୀ ଥର୍ମାଲ ସ୍କ୍ରିନିଂ କରାଯିବା ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରେ ହ୍ୟାଣ୍ଡ ସାନିଟାଇଜରମାନ ସ୍ଥାପନ କରାଯାଇଛି । ଦର୍ଶକମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବାକୁ ନିବେଦନ କରାଯାଇଛି । ମେଳା ପରିସରରେ ସରକାରଙ୍କ କୋଭିଡ୍ ନିୟମ ଅନୁପାଳନ ନିମେନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ।ଏହି ମେଳା ପ୍ରତିଦିନ ୨ଟାରୁ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ଖୋଲାରହିବ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନ ରେ କାର୍ଯ୍ୟରତ ରାଜ୍ୟ କଳା ଓ ହ ସ୍ତଶଳ୍ପି ବିକାଶ ଅନୁଷ୍ଠାନ (ସିଡାକ୍) ତର ଫ ରୁ ଏହି ମେଳାର ପରିକଳ୍ପନା ଓ ପ୍ରଯୋଜନା କରାଯାଇଛି । ଶେଷରେ ବସନ୍ତ କୁମାର ଦାଶ, ନିର୍ଦ୍ଦେଶକ ହସ୍ତ ଓ କୁଟୀର ଶିଳ୍ପ, ଓଡ଼ିଶା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୁଚେତା ପ୍ରିୟଦର୍ଶିନୀ ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।