ଦୁର୍ଘଟଣା ନେଲା ଯୁବକଙ୍କ ଜୀବନ

ଯାଜପୁର: ଯାଜପୁର ଜିଲା ବରୀ-ବରୁଆଁ ପୂର୍ତ୍ତ ବିଭାଗ ରାସ୍ତାର ରଘୁନାଥପୁରଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୨ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଯାଜପୁର ସଦରଥାନା ଅଧୀନ ରଘୁନାଥପୁର ଗ୍ରାମର ଶ୍ରୀଧର ସାହୁଙ୍କ ପୁଅ ରାଜେଶ କୁମାର ସାହୁ(ରାଜା) । ଗୁରୁତର ହେଲେ ଏହି ଥାନା ସାହସପୁର ପଞ୍ଚାୟତର ୩ ଯୁବକ । ସମ୍ପୃକ୍ତ ୩ ଯୁବକ ବରୁଆଁରୁ ମଙ୍ଗଳବାର ରାତି ପ୍ରାୟ ୯ଟାରେ ବାଇକ୍‌ରେ ଘରକୁ ଫେରୁଥିଲେ ।  ରାଜେଶ କୌଣସି କାମରେ ଯାଜପୁର ଟାଉନ୍ ଯାଉଥିଲେ । ଉଭୟଙ୍କ ଗାଡ଼ି ଦ୍ରୁତଗତିରେ ଥିଲା । ରାଜା ଏକ ଗାଡ଼ିକୁ ଓଭରଟେକ୍ କରୁଥିଲେ । ଏହି ସମୟରେ ବରୁଆଁପଟୁ ଆସୁଥିବା ୩ ଯୁବକଙ୍କ ବାଇକ୍ ସହ ରାଜାଙ୍କ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ରାଜା ଗୁରୁତର ହୋଇଥିଲେ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପକ୍ଷରେ ଦୁର୍ଘଟଣା ପାଇଁ ଲୋକେ ପୂର୍ତ୍ତ ବିଭାଗକୁ ଦାୟୀ କରିଛନ୍ତି । ଦୁର୍ଘଟଣାସ୍ଥଳ ଏକ ବଜାର ହୋଇଥିଲେ ମଧ୍ୟ ଏଠାରେ ହମ୍ପସ୍ ନାହିଁ । ଫଳରେ ଏଠାରେ ବିଭିନ୍ନ ସମୟରେ ଏହିପରି ଦୁର୍ଘଟଣା ଘଟୁଛି । କିଛିଦିନ ତଳେ ଏହି ସ୍ଥାନରେ ଦୁର୍ଘଟଣା ଘଟି ଇନ୍ଦାରୋଇ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲ । ବାରମ୍ବାର ଗୋଟିଏ ସ୍ଥାନରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପୂର୍ତ୍ତ ବିଭାଗ ଏଠାରେ କୌଣସି ସୂଚନା ଫଳକ ଲଗାଉନାହିଁ । ହମ୍ପସ୍ ମଧ୍ୟ କରାଯାଉନାହିଁ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆଗକୁ ପୂର୍ତ୍ତ ବିଭାଗ ଯଦି ଏ ଦିଗରେ ସଚେତନ ନ ହୁଏ ତେବେ ଏପରି ଦୁର୍ଘଟଣା ବଢ଼ିଚାଲିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେଣୁ ବିଭାଗୀୟ ଅଧିକାରୀ ଏଠାରେ ହମ୍ପସ ନିର୍ମାଣ କରିବା ସହ ଆକ୍‌ସିଡେଣ୍ଟ୍ ବ୍ଲାକ ସ୍ପଷ୍ଟ ସୂଚନା ଫଳକ ଲଗାଇବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *