ପାଟ୍ରୋଲିଂ ନାହିଁ, ଚେକିଂ ଜୋରଦାର

ଭୁବନେଶ୍ୱର: ନୂଆ ମୋଟର ଯାନ ଆଇନକୁ କିପରି କଡ଼ାକଡ଼ି ପାଳନ କରାଯିବ ସେ ଦିଗରେ କମିଶନରେଟ ପୋଲିସ ବେଶ୍ ଗୁରୁତ୍ୱ ଦେଉଛି । ଯିଏ ଟିକେ ବି ନିୟମ ଖିଲାପ କରୁଛନ୍ତି ତାଙ୍କ ନିକଟକୁ ମୋଟା ଅଙ୍କର ଚାଲାଣ ଆସୁଛି । କେତେକ ସ୍ଥାନରେ କମିଶନରେଟ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରୁ ହିଁ ଫାଇନ୍ କାଟିନେଉଛନ୍ତି । ନିୟମ ଉଲ୍ଲଘଂନ କରୁଥିବା ବ୍ୟକ୍ତି ମଧ୍ୟ ଫାଇନ୍ ଦେଇ ଆଇନକୁ ସମ୍ମାନ ଜଣାଉଛନ୍ତି । ମାତ୍ର ପୋଲିସ କିନ୍ତୁ ସେବାରୁ ଦୂରେଇ ଯାଇ କେବଳ ଗାଡ଼ି ଚେକିଂ କରି ଚାଲାଣ କାଟିବାରେ ବ୍ୟସ୍ଥ ରହୁଥିବା ରାଜଧାନୀବାସୀଙ୍କ ମୁହଁରୁ ଶୁଣିବାକୁ ମିଳୁଛି । କାରଣ ଏବେ ପ୍ରତ୍ୟେକ ଦିନ ମୋବାଇଲ୍ ଲୁଟ୍ ଠାରୁ ଆରମ୍ଭ କରି ଗାଡ଼ି ଚୋରି ଏବଂ ରାତିରେ ପଥଚାରୀଙ୍କୁ ଅଟକାଇ ଦୁର୍ବୃତ୍ତ ସର୍ବସ୍ୱ ଲୁଟି ନେଉଥିଲେ ମଧ୍ୟ ପୋଲିସ ସେମାନଙ୍କ ଟେର୍ ପାଉନାହିଁ । ରାଜଧାନୀରେ ରାତିରେ କୌଣସି ସ୍ଥାନରେ ପୋଲିସ ଚେକିଂ ନ ଥିବାରୁ ଦୁର୍ବୃର୍ତ୍ତଙ୍କୁ ଏହା ବେଶ୍ ସହାୟକ ହେଉଛି । ବିଶେଷକରି ରସୁଲଗଡ଼ଠାରୁ ବରମୁଣ୍ଡା ପର୍ଯ୍ୟନ୍ତ ଉଭର ବ୍ରିଜ୍‌କୁ ଦୁର୍ବୃତ୍ତ ଟାର୍ଗେଟ କରିଛନ୍ତି । ଏହି ଓଭର ବ୍ରିଜ୍‌ର ଅଧିକାଂଶସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ । ସେହିପରି ତଳରାସ୍ତାର ଅବସ୍ଥା ମଧ୍ୟ ସମାନ । ବାଣୀବିହାରଠାରୁ ଫାୟାରଷ୍ଟେସନ ପର୍ଯ୍ୟନ୍ତ ଓଭରବ୍ରିଜ୍ ସମ୍ପୂର୍ଣ୍ଣ ଅନ୍ଧାର । ପୋଲିସ ପାଟ୍ରୋଲିଂ ମଧ୍ୟ ବିଲ୍‌କୁଲ ନାହିଁ । ଯଦ୍ଦ୍ୱାରା ନିଜ କର୍ତ୍ତବ୍ୟ ସାରି ବିଳମ୍ବିତ ରାତିରେ ଫେରୁଥିବା ଲୋକଙ୍କୁ ଲୁଟେରା ମାଡ଼ ମାରି ସର୍ବସ୍ୱ ଲୁଟି ନେଇଛନ୍ତି । ଏହାର ଉଦାହାରଣ ଦେଖିବାକୁ ମିଳିଛି ସୋମବାର ରାତିରେ । ରାତି ପ୍ରାୟ ୧୨ଟାରେ ଏକ ଗଣମାଧ୍ୟମର ଜଣେ କର୍ମଚାରୀ କାମ ସାରି ଫେରୁଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରି ଟଙ୍କା, ସୁନା ମୋବାଇଲ୍ ଆଦି ଲୁଟି ନେଇଛନ୍ତି । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଏହି ଘଟଣାରେ କାହାରିକୁ ଏ ପର୍ଯ୍ୟନ୍ତ ଗିରଫ କରି ପାରିନାହିଁ । ସେହିପରି ରସୁଲଗଡ଼ରୁ କଳ୍ପନା ଛକ ରାସ୍ତାର ବିଭିନ୍ନ ସ୍ଥାନରେ ଲୁଟ୍ ହେଉଛି । ରାଜଧାନୀରେ ସପ୍ତାହମଧ୍ୟରେ ୧୦୦୦ରୁ ଊର୍ଦ୍ଧ୍ୱ ଲୁଟ୍ ହୋଇଛି । ହେଲେ ପୋଲିସ ଏ ଦିଗରେ ତଦନ୍ତକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ଗାଡ଼ି ଯାଞ୍ଚବେଳେ କର୍ମଚାରୀ ଅଭାବ କଥା କୁହାଯାଉନାହିଁ । ପାଟ୍ରୋଲିଂ ବେଳେ କର୍ମଚାରୀ ଅଭାବ କହି ପୋଲିସ ଦୋଷ ଖସାଇ ଦେଉଥିବାରୁ ସାଧାରଣଲୋକଙ୍କୁ ଏହାର କ୍ଷତି ସହିବାକୁ ପଡୁଛି । ଜୀବନଜୀବିକା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଜନସାଧାରଣ ପୋଲିସକୁ ଭରସା କରି ବିଭିନ୍ନ ସଂସ୍ଥାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାର୍ଯ୍ୟ କରି ଫେରୁଛନ୍ତି । ହେଲେ ପୋଲିସ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହେଉଥିବାରୁ ସେମାନେ ସର୍ବସ୍ୱାନ୍ତ ହେବାସହ କେତକ ସ୍ଥଳରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ପ୍ରାଣମଧ୍ୟ ହରାଉଛନ୍ତି । ହେଲେ କମିଶନରେଟ ପୋଲିସର ଏଦିଗରେ ଟିକେ ବି ଗୁରୁତ୍ୱ ନାହିଁ । ଯଦି ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରନ୍ତା ତେବେ ଲୁଟ୍ ହ୍ରାସ ପାଇ ପାରନ୍ତା ବୋଲି ମତପ୍ରକାଶ ପାଇଛି । ତେବେ କମିଶନରେଟ ପୋଲିସ ଆଗକୁ ଏ ଦିଗରେ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ଅପେକ୍ଷା ।

Leave a Reply

Your email address will not be published. Required fields are marked *